ବ୍ରହ୍ମବରଦା(ସ୍ମୃତି ରଞ୍ଜନ ରାଉତ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ଦୁର୍ଗାପୂଜା ମଣ୍ଡପରେ ଆଜି ମହାସପ୍ତମୀ ପୂଜା ମହା ଆଡମ୍ବରରେ ସମ୍ପନ୍ନ ହୋଇଛି।ଗତକାଲି ମହାଷଷ୍ଠୀ ସନ୍ଧ୍ୟାରେ ଗ୍ରାମ ହାଟସ୍ଥ ବେଲଗଛ ମୂଳେ ମା’ଙ୍କ ବେଲବରଣୀ ପୂଜା ଅନୁଷ୍ଠିତ ହୋଇଥିଲା। ଆଜି ସପ୍ତମୀ ଶୁଭ ମୁହୂର୍ତ୍ତରେ ପବିତ୍ର ବ୍ରାହ୍ମଣୀ ନଦୀ କୂଳରୁ ବାଜା, ରୋଷଣୀ ସହ କଳସ ଯାତ୍ରା ବାହାରି ପୂଜା ଆରମ୍ଭ ହୋଇଥିଲା। ଏହି ପୂଜାର ପ୍ରତିଷ୍ଠାତା ତଥା ମୁଖ୍ୟକର୍ତ୍ତା ବର୍ଷିୟାନ ବିପିନ ବିହାରୀ ଦେଓ ଚଳିତ ବର୍ଷ ୫୧ତମ ବର୍ଷ ପାଇଁ ନିଜେ କଳସାଧିବାସୀ ଭାବେ ସଂକଳ୍ପ ଓ କଳସ ସ୍ଥାପନ କରିଥିଲେ। ପରେ ମଣ୍ଡପରେ ଚକ୍ଷୁଦାନ, ସପ୍ତମୀ ବଳି, ସୂର୍ଯ୍ୟ ପୂଜା ଓ ହୋମଯଜ୍ଞ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ପୂଜା କାର୍ଯ୍ୟକୁ ଧ୍ରୁବ ଚରଣ ପାଢ଼ୀ, ନିତ୍ୟାନନ୍ଦ ପତି, ଅରୁଣ କୁମାର ପତି ଓ ଭଜମନ ବାରିକ ପରିଚାଳନା କରିଥିଲେ।
ଏହି ଅବସରରେ ପୂଜା କମିଟିର ସଦସ୍ୟ ରାକେଶ ଦେଓ, ଚିନ୍ତାମଣି ରାଉତ, ଅଲେଖ ରାଉତ, ସଂଗ୍ରାମ ରାଉତ, ଅମୂଲ୍ୟ ରାଉତ, ରାଜେଶ ଦେଓ, ପଞ୍ଚାନନ ରାଉତ, ସୁକାନ୍ତ ବେହେରା, ପ୍ରତାପ କେଶରୀ ଦେଓ, ସତ୍ୟାନନ୍ଦ ରାଉତ, ଅରୂପ କୁମାର ଦେଓ ପ୍ରମୁଖ ଉପସ୍ଥିତ ଥିଲେ।
ମହାଷ୍ଟମୀ ତିଥିରେ ପ୍ରସିଦ୍ଧ କୁଷ୍ମାଣ୍ଡ (ପାଣି କଖାରୁ) ବଳି, ନବମୀରେ କୁମାରୀ ପୂଜା, ଚଣ୍ଡୀପାଠ ଓ ବିଜୟାଦଶମୀରେ ଐତିହାସିକ ଖଣ୍ଡା ଶୋଭାଯାତ୍ରା ଓ ବାଡ଼ି ଖେଳ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।




















