ଓଡ଼ିଶା ଲିଡ୍ସ((ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆଜି ବାତ୍ୟାର ରୂପ ନେଇଛି। ବାତ୍ୟା ‘ଅର୍ଣ୍ଣବ’ ଘଣ୍ଟା ପ୍ରତି ୧୫ କିମି ବେଗରେ ଆଗକୁ ଗତି କରୁଛି। ଏହା ଆନ୍ଧ୍ରପ୍ରଦେଶର ବିଶାଖାପଟନମ୍ ଠାରୁ ୬୫୦ କିମି ଦୂରରେ ଥିବା ବେଳେ କାକିନାଡ଼ା ଠାରୁ ୭୩୦ କିମି ଓ ମଚ୍ଛଲିପଟ୍ଟନମ ଠାରୁ ୮୩୦ କିମି ଦୂରରେ ରହିଛି। ସେହିପରି ବାପଟାଲା ଠାରୁ ୯୧୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା ‘ଅର୍ଣ୍ଣବ’। ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମକୁ ମୁହାଁଇବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ସୃଷ୍ଟି ହୋଇଥିବା ବାତ୍ୟା ଆଜି ମଧ୍ୟରାତି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ୨୮ ତାରିଖରେ ଏହା ବାପଟଲା-ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ସ୍ପର୍ଶ କରିବ ବୋଲି ଆକଳନ କରାଯାଇଛି। ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ଘଣ୍ଟା ପ୍ରତି ସର୍ବାଧିକ ୧୪୦ କିମି ରହିପାରେ।
ଅପରପକ୍ଷେ ବାତ୍ୟା ମୁକାବିଲା ପାଇଁ କଟକ ମୁଣ୍ଡଳିରୁ ୧୧ଟି ଏନଡିଆରଏଫ ଟିମ୍କୁ ବିଭିନ୍ନ ସ୍ଥାନକୁ ପଠାଯାଇଛି। ଓଡ଼ିଶା ସମେତ ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶର ବିଭିନ୍ନ ସ୍ଥାନରେ ଏହି ୧୧ଟି ଟିମ୍କୁ ମୁତୟନ କରାଯାଇଛି। ଓଡ଼ିଶାରେ ୪ଟି ଟିମ ନିୟୋଜିତ ହୋଇଥିଲା ବେଳେ ୧୪୦ ଜଣଙ୍କୁ ନେଇ ୪ଟି ଟିମ୍ ଗଠନ କରାଯାଇଛି । ଏହି ଟିମ୍ଗୁଡ଼ିକୁ ଅଧିକ ପ୍ରଭାବିତ ଆଶଙ୍କା ଥିବା ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ମୁତୟନ କରାଯାଇଛି। ସେହିପରି ଛତିଶଗଡ଼କୁ ୩ଟି ଓ ଆନ୍ଧ୍ର ପ୍ରଦେଶକୁ ୪ଟି ଟିମ୍ ପଠାଯାଇଛି।



















