ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆବଣ୍ଟନ ହେବାକୁ ଥିବା ପାଣ୍ଠିରୁ କେନ୍ଦ୍ର ସରକାର ଓଡ଼ିଶାକୁ ଅଗ୍ରୀମ ୪,୮୧୯ କୋଟି ଟଙ୍କା ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାର ଦେଶର ୨୮ଟି ରାଜ୍ୟକୁ ଆଜି ଏହି ଅଗ୍ରିମ କିସ୍ତି ପ୍ରଦାନ କରିଛନ୍ତି। ଏବାବଦରେ ମୋଟ ୧,୦୯,୦୧୯ କୋଟି ଟଙ୍କା କେନ୍ଦ୍ର ସରକାର ପ୍ରଦାନକରିଛନ୍ତି। ସେଥିରୁ ଓଡ଼ିଶାକୁ ୪୮୧୯ କୋଟି ଟଙ୍କା ମିଳିଛି। ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତିକୁ ମଜଭୁତ କରିବା ଏବଂ ସେମାନଙ୍କ ପୁଞ୍ଜି ଓ ବିକାଶମୂଳକ କାର୍ଯ୍ୟ ତ୍ବରାନ୍ବିତ କରିବା ଲାଗି ଏହି ଆର୍ଥିକ ରାଶି ଆଗୁଆ ପ୍ରଦାନ କରାଯାଇଛି।
ଏଥିସହିତ ଆଗାମୀ ୧୦ ତାରିଖରେ ରାଜ୍ୟଗୁଡ଼ିକୁ ସେମାନଙ୍କ ସ୍ବାଭାବିକ ଆବଣ୍ଟନ ବାବଦ ରାଶି ପ୍ରଦାନ କରାଯିବ।କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଦିଆଯାଇଥିବା ରାଶି ମଧ୍ୟରୁ ଉତ୍ତରପ୍ରଦେଶକୁ ସର୍ବାଧିକ ୧୯୨୦୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହିଭଳି ବିହାରକୁ ୧୦୮୪୫ କୋଟି, ମଧ୍ୟପ୍ରଦେଶକୁ ୮୦୧୦ କୋଟି, ପଶ୍ଚିମବଙ୍ଗକୁ ୭୮୬୬ କୋଟି, ମହାରାଷ୍ଟ୍ରକୁ ୭୦୨୨ କୋଟି ଏବଂ ରାଜସ୍ଥାନକୁ ୬୪୬୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।




















