ଓଡ଼ିଶା ଲିଡ୍ସ (ବ୍ରହ୍ମଗିରି): ଦିନେ ଅର୍ଥାଭାବ ଯୋଗୁଁ ଯେଉଁ ମେଧାବୀ ଛାତ୍ରୀଙ୍କ ପାଠପଢ଼ାରେ ଡୋରି ଲାଗିଥିଲା ଖବର ପାଇ ସେହି ଛାତ୍ରୀଙ୍କ ସ୍ଵପ୍ନକୁ ପୂରଣ କରିବାକୁ ଆଗେଇ ଆସିଛନ୍ତି ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର। ଛାତ୍ରୀଙ୍କ ପାଠପଢ଼ାର ସଂପୂର୍ଣ୍ଣ ଦାୟିତ୍ଵ ନିଜ କାନ୍ଧକୁ ନେଇ ସେ ମହନୀୟତାର ପରିଚୟ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାୟବିଧାର ପଞ୍ଚାୟତର ଧର୍ମକୀର୍ତ୍ତି ଭୋଇ ସାହିର ଝିଅ ଶୁଭଦର୍ଶିନୀ ଭୋଇ। ଶୁଭଦର୍ଶିନୀ ୨୦୨୪ ମସିହାରେ ଅଲାରନାଥ ଧନ୍ଦାମୂଳକ ମହାବିଦ୍ୟାଳୟରୁ +୨ କଳା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବ୍ରହ୍ମଗିରି ବ୍ଲକ ଟପ୍ପର ହେବାର ଗୌରବ ଅର୍ଜନ କରିଥିଲେ। ମେଧାବୀ ହୋଇଥିଲେ ମଧ୍ୟ ପାଠପଢ଼ା ଜାରି ରଖିବା ପାଇଁ ତାଙ୍କ ପରିବାରର ଆର୍ଥିକ ସ୍ଵଚ୍ଛଳତା ନଥିବାରୁ ସେ ଚିନ୍ତାରେ ଥିଲେ। ଏହି ଖବର ପାଇବା ପରେ ବିଧାୟିକା ଉପାସନା ମହାପାତ୍ର ଶୁଭଦର୍ଶିନୀଙ୍କ ବାସଭବନରେ ପହଞ୍ଚିଥିଲେ। ତାଙ୍କ ସହ କଥା ହୋଇ ତାଙ୍କ ସମସ୍ୟା ବିଷୟରେ ଅବଗତ ହୋଇଥିଲେ । ଏହା ପରେ ତାଙ୍କ ସମସ୍ତ ପାଠପଢ଼ା ଖର୍ଚ୍ଚ ଏବଂ ଦାୟିତ୍ଵ ନିଜେ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବିଧାୟିକାଙ୍କ ଏପରି ଜନହିତକର ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି । ଅନ୍ୟପକ୍ଷରେ ଶୁଭଦର୍ଶିନୀଙ୍କ ପରିବାର ଏବଂ ବ୍ରହ୍ମଗିରିବାସୀଙ୍କ ପକ୍ଷରୁ ବିଧାୟିକାଙ୍କୁ କୃତଜ୍ଞତା ଜଣାଯାଇଛି।




















