ଘାଇ ମରାମତି କାର୍ଯ୍ୟ ବାଧାପ୍ରାପ୍ତ, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସ୍ଥିତି ଅନୁଧ୍ୟାନ
ଓଡ଼ିଶା ଲିଡ୍ସ(ଦଶରଥପୁର): ଚଳିତବର୍ଷ ବନ୍ୟାରେ ଦଶରଥପୁର ବ୍ଲକର ୫୯ଟି ଗାଁରେ ୮୬ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।ବନ୍ୟା ଛାଡିବାର ବେଶ କିଛି ଦିନ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା କମୁନାହିଁ । ବନ୍ୟା ଫଳରେ ହଜାର ହଜାର ହେକ୍ଟର ଚାଷ ଜମିରେ ଧାନ ଓ ପନିପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଛି । ଏପରି ସ୍ଥିତିରେ ପୁନର୍ବାର ଲଗାଣ ବର୍ଷା ଯୋଗୁ କାଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ପଟଣାସାହି ନିକଟରେ ସୃଷ୍ଟି ଘାଇର ମରାମତି କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ୨ଟି ଘାଇ ମଧ୍ୟରୁ ଗୋଟିଏର ମରାମତି କାର୍ଯ୍ୟ ଏକ ପ୍ରକାର ଶେଷ ପର୍ଯ୍ୟାୟରେ ପହଞ୍ଚି ଥିଲାବେଳେ ଅନ୍ୟ ଘାଇ ଦେଇ ବନ୍ୟା ଜଳ ତଳମୁଣ୍ଡକୁ ମାଡି ଚାଲିଛି । ଫଳରେ ତରପଦା, କସପା, ମଲ୍ଲିକାପୁର ପଞ୍ଚାୟତରେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢି ବଢି ଚାଲିଛି । ଆଜି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ହରେକୃଷ୍ଣ ବେହେରା, ଅଧିକ୍ଷଣ ଯନ୍ତ୍ରୀ ରତ୍ନାକର ଦଳାଇ, ସହକାରୀ ଯନ୍ତ୍ରୀ ଅନ୍ତର୍ଯ୍ୟାମୀ ମହାନ୍ତି, କନିଷ୍ଠଯନ୍ତ୍ରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଘାଇ ମରାମତି କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଥିଲେ । ଘାଇ ମରାମତି ଦାୟୀତ୍ୱ ନେଇଥିବା ଠିକସଂସ୍ଥା କର୍ତ୍ତୃପକ୍ଷଙ୍କୁ ବିପନ୍ନଙ୍କ ସ୍ୱାର୍ଥହାନି ନହେବା ଉପରେ ତ୍ୱରିତ ଓ ଗୁଣାତ୍ମକ କାର୍ଯ୍ୟ କରିବାକୁ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ବେହେରା ନିର୍ଦେଶ ଦେଇଛନ୍ତି ।




















