ସୁକିନ୍ଦା କଣ ଜିଲ୍ଲା ବାହାରେ କି ?
ସାଧାରଣରେ ତୀବ୍ର ପ୍ରତିକ୍ରିୟା
ମହୋତ୍ସବରେ ସାମିଲ ହେବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି
ଓଡ଼ିଶା ଲିଡ୍ସ(ସୁକିନ୍ଦା):ଆସନ୍ତା ୨୦ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଯାଜପୁର ଜିଲ୍ଲା ମହୋତ୍ସବ “ଯଯାତି” ଜିଲ୍ଲା ସଦର ମହକୁମା ଯାଜପୁର ଟାଉନ ଠାରେ ଆୟୋଜିତ ହେବ । ଜିଲ୍ଲା ସ୍ତରୀୟ ଏହି ମହୋତ୍ସବରେ ଯାଜପୁର ଜିଲ୍ଲାର କଳା, ସାହିତ୍ୟ, ସଂସ୍ମୃତିର ପ୍ରଦର୍ଶନ ସହିତ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ଜିଲ୍ଲା ସଂସ୍କୃତି ପରିଷଦ ଦ୍ବାରା ଆୟୋଜିତ ଏହି ବର୍ଣ୍ଣାଢ୍ୟ ମହୋତ୍ସବରେ ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀକୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି । ଏହି ମହୋତ୍ସବ ପାଳନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଭିନ୍ନ କମିଟି ମାନ ଗଠନ ହୋଇଛି। ଏହି କମିଟିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସଦସ୍ୟ ମାନେ ସାମିଲ ହେବାକୁ ମନୋନୀତ ହୋଇଥିବା ବେଳେ ସୁକିନ୍ଦା ନିର୍ବାଚନ ମଣ୍ଡଳୀକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। ଗତ ୧୨ ତାରିଖରେ ଜିଲ୍ଲାପାଳଙ୍କ ଦସ୍ତଖତରେ ମୋଟ ୧୭ ଗୋଟି କମିଟି ଗଠନ କରାଯାଇଛି; କିନ୍ତୁ କୌଣସି ଗୋଟିଏ ବି କମିଟିରେ ସୁକିନ୍ଦାର ବୁଦ୍ଧିଜୀବୀ, ସାହିତ୍ୟିକ, ଶିକ୍ଷାବିତ୍, ସଂସ୍କୃତି ପ୍ରେମୀ ସ୍ଥାନ ପାଇ ନାହାଁନ୍ତି ବୋଲି ଅଭିଯୋଗ ହୋଇଛି । ଯାହା ସୁକିନ୍ଦାବାସୀଙ୍କ ମନରେ ଗଭୀର ରେଖାପାତ କରିଛି ।
ମହୋତ୍ସବ ଆୟୋଜନରେ ହେଉଥିବା ଖର୍ଚ୍ଚର ସିଂହ ଭାଗ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଳ କାରଖାନା ଓ ଖଣି ଖାଦାନରୁ ସଂଗୃହିତ ହେଉଥିଲା ବେଳେ ଜିଲ୍ଲା ପ୍ରଶାସନର ସୁକିନ୍ଦାକୁ ଉପେକ୍ଷା ସୁକିନ୍ଦା ବାସୀଙ୍କ ମନରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ସୁକିନ୍ଦା କଣ ଯାଜପୁର ଜିଲ୍ଲା ବାହାରେ କି ବୋଲି ପ୍ରଶ୍ନ କରିଛନ୍ତି ସୁକିନ୍ଦାବାସୀ । ଯାଜପୁର ଟାଉନ ଠାରୁ ସୁକିନ୍ଦାର ଦୂରତା ଅଧିକ ହେଉଥିବାରୁ ସୁକିନ୍ଦାବାସୀ କିଭଳି ଏହି ମହୋତ୍ସବରେ ସାମିଲ ହେବେ ଓ ମହୋତ୍ସବ ପରେ ସୁକିନ୍ଦା ଫେରିବେ ସେଥିପାଇଁ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି ହୋଇଛି ।




















