ଓଡ଼ିଶା ଲିଡ୍ସ(ଯାଜପୁର): ପ୍ରଥମ ନିଟ ପରୀକ୍ଷାରେ ବ୍ୟାପକ ତ୍ରୁଟି ପରେ ଆଜି ନିଟ ପୁନଃପ୍ରବେଶିକା ପରୀକ୍ଷା ଆରମ୍ଭ ହୋଇଛି । ସାରା ଦେଶରେ ଏହି ପରୀକ୍ଷା ଆୟୋଜିତ ହେଉଥିଲା ବେଳେ ଆଜି ଯାଜପୁର ଜିଲ୍ଲାର ୭ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଆୟୋଜନ କରାଯାଇଛି । ଏହି ସବୁ କେନ୍ଦ୍ର ଗୁଡିକରେ ୨୭୦୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଯାଜପୁର ଟାଉନ ଏନ.ସି.ସ୍ୱୟଂଶାସିତ ମହାବିଦ୍ୟାଳୟରେ ତିନିଟି ସେଣ୍ଟର ହୋଇଥିଲା ବେଳେ ଯାଜପୁର କେନ୍ଦ୍ରୀୟ ବିଦ୍ୟାଳୟ, ବ୍ୟାସନଗର ମହାବିଦ୍ୟାଳୟ, ରଗଡି ପଲିଟେକନିକ ଓ ଜବାହାର ନବୋଦୟ ବିଦ୍ୟାଳୟରେ ଗୋଟିଏ ଲେଖାଏ ସେଣ୍ଟର କରାଯାଇଛି । ପରୀକ୍ଷା ପରିଚାଳନା ପାଇଁ ବରିଷ୍ଠ ଅଧିକାରୀ ମାନଙ୍କୁ ନିଯୁକ୍ତ କରାଯାଇଥିଲା ବେଳେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଯାଜପୁର ଏନ.ସି କଲେଜରେ ତିନିଟି ସେଣ୍ଟର ହୋଇଥିବାରୁ ସେଠାରେ ବ୍ୟାପକ ଭିଡ଼ ଦେଖିବାକୁ ମିଳିଛି । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶୀତିକଣ୍ଠ କାନୁନଗୋ ପୋଲିସ ବଳ ସହିତ ଉପସ୍ଥିତ ଥିବା ଦେଖୁବାକୁ ମିଳିଛି ।




















