ଓଡ଼ିଶା ଲିଡ୍ସ(ବ୍ରହ୍ମବରଦା): ଚଳିତ ବର୍ଷ ବ୍ରାହ୍ମଣୀ ନଦୀରେ ବନ୍ୟା ଆସି ଯାଜପୁର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଛି । ବନ୍ୟାରେ ଯାଜପୁର ବ୍ଲକ ରୁଦ୍ରପୁର ପଞ୍ଚାୟତ ଓ ଏହାର ଆଖପାଖ ଅଞ୍ଚଳରେ ବନ୍ୟା ପାଣି ପଶି ବ୍ୟାପକ ଚାଷ ନଷ୍ଟ ହୋଇଛି। ରୁଦ୍ରପୁର, ସିଠାଲୋଇ ଓ ମେରକପୁର ମୌଜାର ପ୍ରାୟ ୪ ଶହ ଏକର ଚାଷ ଜମି ଏବେ ବି ପାଣି ଘେରରେ ରହିଛି । ଏହି ତିନି ମୌଜାରେ ୩୫୦ ଏକରରେ ଧାନ ଚାଷ ହୋଇଥିଲା ବେଳେ ପ୍ରାୟ ୫୦ ଏକରରେ ପରିବା ଚାଷ ହୋଇଥିଲା । ପରିବା ମଧ୍ୟରୁ ବାଇଗଣ, ପୋଟଳ, ଭେଣ୍ଡି, ଜହ୍ନି, କାକୁଡ଼ି, ଝୁଡଙ୍ଗ ପରି ପନିପରିବା ଚାଷ ହୋଇଥିଲା । ଆସିଥିବା ବନ୍ୟା ପାଣିରେ ଜମି ବୁଡି ରହିବା ପରେ ସବୁ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବନ୍ୟାରେ ପୂର୍ଣ୍ଣଚନ୍ଦ୍ର ସାହୁ, ଉମାକାନ୍ତ ସ୍ୱାଇଁ, ଗଗନ ମଲିକ, ଟୁଲୁ ସାମଲ, ନିର୍ମଳ ରାୟ, ଭାଗିରଥି ସାମଲ, ସୁରେନ୍ଦ୍ର ସାହୁ, ଦିବ୍ୟରଞ୍ଜନ ସାହୁ, ବିଜୟ ସାହୁ, ରାହାସ ବିହାରୀ ସ୍ୱାଇଁ, ରଥ ମଲିକ, ଦେବାଶିଷ ସାହୁ ପ୍ରମୁଖ ଚାଷୀ ଏହି ବନ୍ୟାରେ ସର୍ବସ୍ୱାନ୍ତ ହୋଇଛନ୍ତି। ବନ୍ୟାରେ ଶତାଧିକ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ କେହି ଦେଖିବାକୁ ଆସି ନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ତୁରନ୍ତ କ୍ଷେତ୍ର ପରିଦର୍ଶନ କରି କ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ କରିବାକୁ ଚାଷୀଙ୍କ ପକ୍ଷରୁ ଦାବି ହୋଇଛି।




















