ଓଡ଼ିଶା ଲିଡ୍ସ(ଦଶରଥପୁର): ଲଘୁଚାପ ବର୍ଷାରେ ଗତ ୨ଦିନ ହେବ ଦଶରଥପୁର ବ୍ଲକ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିବା ଯୋଗୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ଆଜି ଖଣ୍ଡରା ପଞ୍ଚାୟତ ବାଲିପଦା ଗ୍ରାମରେ ବଡ଼ ଦୁର୍ଘଟଣା ଟଳି ଯାଇଛି । ଆଜି ପୂର୍ବାହ୍ନ ପ୍ରାୟ ସାଢେ ୯ଟା ସମୟରେ ବାଲିପଦା ଗ୍ରାମର ମୁଖ୍ୟ ରାସ୍ତା ପାର୍ଶ୍ୱ ଦୁର୍ଗା ମନ୍ଦିର ନିକଟରେ ଥିବା ଏକ ବିରାଟକାୟ କଦମ୍ବ ଗଛ ଅଚାନକ ଉପୁଡି ପଡିଥିଲା। ସେହି ସମୟରେ ନିକଟରେ ଥିବା ବାଲିପଦା ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢିବାକୁ ଯାଉଥିବା ୩ଜଣ ଛୋଟ ପିଲା ଅଳ୍ପକେ ଅଘଟଣରୁ ବର୍ତ୍ତି ଯାଇଥିବା ଜଣା ଯାଇଛି । ମାତ୍ର ଗଛ ଉପୁଡି ପଡିବାରୁ ଦୁର୍ଗା ମନ୍ଦିର ଛାତର କିଛି ଅଂଶ ଭାଙ୍ଗିଯିବା ସହିତ ମନ୍ଦିର କଡରେ ରହିଥିବା ଗୋଟିଏ ଟାଟା ମ୍ୟାଜିକ ଓ ଏକ ପିକଅପ ଭ୍ୟାନ କ୍ଷତିଗ୍ରସ୍ତ ହୋଇଛି । ଗଛ ପଡି ବିଦ୍ୟୁତ ତାର ଛିଣ୍ଡି ପଡିବାରୁ ସେହି ରାସ୍ତା ଦେଇ ଗ୍ରାମବାସୀ ଭୟରେ ଯାତାୟାତ ବନ୍ଦ କରିଦେଇଥିଲେ। ଖବର ପାଇ ବିଦ୍ୟୁତ ବିଭାଗ ବିଦ୍ୟୁତ ସଂଯୋଗ ବିଛିନ୍ନ କରିବା ପରେ ଯାଜପୁର ଅଗ୍ନିଶମ ବାହିନୀ କଟର ମେସିନ ସାହାଯ୍ୟରେ ଉପୁଡି ଯାଇଥିବା ଗଛକୁ କଟାକଟି କରି ଗଛ ତଳେ ରହିଯାଇଥିବା ୨ଗାଡିକୁ ଉଦ୍ଧାର କରିବା ପରେ ରାସ୍ତାରେ ଯାତାୟାତ ସ୍ୱାଭାବିକ ହୋଇଥିଲା।



















