ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜ୍ୟସଭା ସାଂସଦ ନିଶିକାନ୍ତ ଦୁବେ ପ୍ରବାଦ ପୁରୁଷ, ମହାନ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବିରୁଦ୍ଧରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ବିଜୁ ବାବୁଙ୍କ ପ୍ରତି ସାଂସଦ ଦୁବେଙ୍କର ଏହି ମନ୍ତବ୍ୟ ରାଜ୍ୟବାସୀଙ୍କ ଭାବାବେଗ ଉପରେ ପ୍ରଭାବ ପକାଇଛି । ଦଳ ମତ ନିର୍ବିଶେଷରେ ସବୁ ଦଳରୁ ଏହାର ପ୍ରତିବାଦ କରାଯାଉଛି । ଏହାକୁ ନେଇ ବିଜେଡି ସାଂସଦ ସସ୍ମିତ ପାତ୍ର ପାର୍ଲିଆମେଣ୍ଟ ଷ୍ଟାଣ୍ଡିଙ୍ଗ କମିଟିରୁ ଇସ୍ତଫା ଦେଇଥିଲା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଵିରୋଧି ଦଳ ନେତା ନବୀନ ପଟ୍ଟନାୟକ ଦୁବେଙ୍କୁ ମାନସିକ ରୋଗ ଡାକ୍ତରଙ୍କ ପରାମର୍ଶ ନେବାକୁ କହିଛନ୍ତି । ବିଜୁ ଛାତ୍ର ଜନତା ଦଳ ଓ ବିଜୁ ଯୁବ ଜନତା ଦଳ ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି । ବିଜେଡି ପକ୍ଷରୁ ଏହାର ପ୍ରତିବାଦ କରାଯାଇ ସାଂସଦ ଦୁବେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ଦାବି କରାଯାଇଛି ।
ବିଜେଡି ଦଳର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ, କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଜେପି ବିଧାୟକ ବାବୁ ସିଂ, ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରମୁଖ ଏହାର ତୀବ୍ର ନିନ୍ଦା କରିବା ସହିତ ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ଓଡ଼ିଆ ଅସ୍ମିତାର ପ୍ରତୀକ, କୋଟି କୋଟି ଓଡ଼ିଆଙ୍କ ହୃଦୟର ପ୍ରିୟ ମଣିଷ ବିଜୁ ବାବୁଙ୍କ ପ୍ରତି ସାଂସଦ ଦୁବେଙ୍କ ମନ୍ତବ୍ୟ ଆଗକୁ ରାଜ୍ୟରେ ପ୍ରତିବାଦର ଝଡ଼ ସୃଷ୍ଟି କରିବାକୁ ଯାଉଛି । ଦଳ ମତ ନିର୍ବିଶେଷରେ ବିଜୁ ବାବୁ ଯେ ସମସ୍ତଙ୍କ ପ୍ରିୟ ରାଜ୍ୟବାସୀ ପୁଣି ପ୍ରମାଣିତ କରିଛନ୍ତି ।




















