ଓଡ଼ିଶା ଲିଡ୍ସ(ପୁରୀ): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ପହଣ୍ଡି ବିଜେରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ପରମ୍ପରା ଓ ନୀତିକାନ୍ତିକୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବିନା ‘ଟାହିଆ’ରେ ବଡ଼ଦାଣ୍ଡକୁ ଅଣାଯାଇଛି। ଏହି ଘଟଣାକୁ ନେଇ ଶ୍ରୀ ଜଗନ୍ନାଥ ଗବେଷକ ଓ ସାରା ଓଡ଼ିଶାର ଭକ୍ତଙ୍କ ମଧ୍ୟରେ ଗଭୀର କ୍ଷୋଭ ପ୍ରକାଶ ପାଇଛି। ଟାହିଆ କେବଳ ଏକ ସାଜସଜ୍ଜା ନୁହେଁ ବରଂ ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ପହଣ୍ଡି ସମୟରେ ଠାକୁରଙ୍କ ସ୍ୱତନ୍ତ୍ର ‘ଝୁଲଣ ଗତି’ ସହିତ ଏହି ବିଶାଳ ଟାହିଆର ଦୋଳନ ଯେଉଁ ଅଲୌକିକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରେ ତାହା ବିନା ପହଣ୍ଡି ଅଧୁରା ଲାଗୁଛି। ରାଘବ ଦାସ ମଠର କାରିଗରମାନଙ୍କ ଦ୍ୱାରା ବଂଶାନୁକ୍ରମିକ ଭାବେ ପ୍ରସ୍ତୁତ ଏହି ପବିତ୍ର ମୁକୁଟର ଅନୁପସ୍ଥିତି ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜଗନ୍ନାଥ ସଂସ୍କୃତି ପ୍ରେମୀମାନେ ଅଭିଯୋଗ କରିଛନ୍ତି ଯେ, ଏତେ ବର୍ଷର ପରମ୍ପରାକୁ ବଜାୟ ରଖିବା ପ୍ରଶାସନର ଦାୟିତ୍ୱ। ଏଭଳି ଗୁରୁତର ତ୍ରୁଟି ପାଇଁ ଦାୟୀ କିଏ ? ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି ନହେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବଂ ସରକାର ଦୃଢ଼ ପଦକ୍ଷେପ ନେବା ଉଚିତ୍ ବୋଲି ମଧ୍ୟ ମତ ପ୍ରକାଶ ପାଇଛି ।




















