ଓଡ଼ିଶା ଲିଡ୍ସ(ଦଶରଥପୁର): ମାଙ୍କଡ଼ ଗୋଡ଼ାଇବାରୁ ପୋଖରୀରେ ପଡି ଜଣେ ଛାତ୍ରୀଙ୍କ ଦୁଃଖଦ ମୃତ୍ୟୁ ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ସୂଚନା ଅନୁଯାୟୀ ଦଶରଥପୁର ଥାନା ଇଜାପୁର ପଞ୍ଚାୟତ ବାଲିଗଣ୍ଡ ଗ୍ରାମରେ ଏହି ଘଟଣା ଘଟିଛି । ମୃତା ଛାତ୍ରୀ ବାଲିଗଣ୍ଡ ଗ୍ରାମର ପ୍ରଭାସ ଆଚାର୍ଯ୍ୟଙ୍କ ଝିଅ ଇତିଶ୍ରୀ ଆଚାର୍ଯ୍ୟ(୧୧) ବୋଲି ଜଣାଯାଇଛି। ୬ଷ୍ଠ ଶ୍ରେଣୀରେ ପଢ଼ୁଥିବା ଇତିଶ୍ରୀ ଆଜି ଗାନ୍ଧୀଜୟନ୍ତୀ ପାଇଁ ସ୍କୁଲ ଛୁଟି ଥିବାରୁ ଅପରାହ୍ନ ପ୍ରାୟ ୩ଟା ସମୟରେ ପରିବାର ଲୋକଙ୍କ ଅଜାଣତରେ ଘର ନିକଟରେ ସାଙ୍ଗସାଥିଙ୍କ ସହିତ ଖେଳୁଥିଲେ। ହଠାତ ଗଛ ଉପରୁ ଏକ ଦନ୍ତା ମାଙ୍କଡ଼ ଡେଇଁ ପିଲାଙ୍କୁ ଗୋଡ଼ାଇବାରୁ ସାଙ୍ଗସାଥିମାନେ ଭୟଭୀତ ହୋଇ ଏଣେ ତେଣେ ଦୌଡ଼ି ପଳାଇଥିଲେ । ଇତିଶ୍ରୀ ନିକଟରେ ଥିବା ପୋଖରୀ ଭିତରକୁ ପଶି ଯାଇଥିବା ବେଳେ ଗୋଡ଼ ଖସି ଯିବାରୁ ଗଭୀର ପାଣିରେ ବୁଡ଼ି ଯାଇଥିଲେ। ସାଙ୍ଗସାଥି ଘରକୁ ଫେରିଥିଲେ ମଧ୍ୟ ଇତିଶ୍ରୀ ଘରକୁ ଫେରି ନଥିଲେ। ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବାରେ ଇତିଶ୍ରୀ ପୋଖରୀରେ ଭାସୁଥିବା ଦେଖି ପଡ଼ୋଶୀ ତାଙ୍କୁ ଉଦ୍ଧାର କରି ପରିବାରବର୍ଗଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ଇତିଶ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ଖବର ଜଣାପଡିବା ପରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଥିଲା। ଖବର ପାଇ ବିଭିନ୍ନ ବ୍ୟକ୍ତି ମେଡିକାଲରେ ପହଞ୍ଚି ପରିବାର ବର୍ଗଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ ।



















