ଓଡ଼ିଶା ଲିଡ୍ସ(ପୁରୀ): ଆଜି ଅଣସର ଦ୍ଵାଦଶୀ ଅବସରରେ ମହାରାଜା ଦିବ୍ୟସିଂହ ଦେବଙ୍କୁ ମହାପ୍ରଭୁଙ୍କ ସୁସ୍ଥତାର ଖବର ଦିଆଯାଇଛି । ଆଜି ତିଥିରେ ଭୋଗ ମଣ୍ଡପ ନୀତି ସରିବା ପରେ ଭଣ୍ଡାର ଘରୁ ରୂପା ଥାଳି ନେଇ ଦକ୍ଷିଣ ଦ୍ୱାର ଲଣ୍ଡାବର୍ତ୍ତ ଉପରେ ଆସ୍ଥାନ ପ୍ରତିହାରୀ ପକାଇଥିବା ପାହାଡ଼ା ଉପରେ ରଖାଯାଇଥାଏ । ଚାଙ୍ଗଡ଼ା ମେକାପ ଯୋଗାଇଥିବା ପାଟକନା ସେହି ରୁପା ଥାଳି ଉପରେ ପକାଇ ଦଇତା ପତି ସେବକ ମାନେ ଅଣସର ପିଣ୍ଡିରୁ ଶ୍ରୀ ଅଙ୍ଗଚନ୍ଦନ, କରାଳ ଓ ପାଟଡୋରି ଉକ୍ତ ଥାଳିରେରେ ରଖି ଘଣ୍ଟ, ଛତ୍ର, କାହାଳୀ ସହ ତଳିଛ ମହାପାତ୍ର ଓ ପ୍ରଧାନୀ ସେବକ ହାତ ପଇଠ ହୋଇ ଆଗେ ଆଗେ ପଟୁଆରରେ ଶ୍ରୀନଅର ଅଭିମୁଖେ ଯାଇଥାନ୍ତି।
ଶ୍ରୀନଅର ରେ ଉପସ୍ଥିତ ହେବା ପରେ ସେଠାରେ ରାଜାଙ୍କୁ ମହାପ୍ରଭୁଙ୍କ ସୁସ୍ଥତାର ଖବର ଦେଇଛନ୍ତି । ଗଜପତିଙ୍କ ଛୁଆଁ ଶାଢ଼ୀମାନ ଦଇତା, ପତି ମହାପାତ୍ର, ତଢ଼ାଉ, ଦେଉଳ କରଣ ଓ ତଳିଛ ମହାପାତ୍ରଙ୍କୁ ପ୍ରଦାନ କରାଯାଇଥାଏ।




















