ଓଡ଼ିଶା ଲିଡ୍ସ(ସୁକିନ୍ଦା):ସୁକିନ୍ଦା ରେଲୱେ ଷ୍ଟେସନ ନିକଟ କ୍ୟାମ୍ପରେ ଦୁଇ ଜଣ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ମୃତକ ଦ୍ବୟ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣା ଯାଇଛି । ସେମାନେ ରେଳ ବିଭାଗର ଠିକା ସଂସ୍ଥାରେ ଶ୍ରମିକ ଭାବେ କାମ କରୁଥିଲେ । ସୂଚନା ଅନୁସାରେ ସୁକିନ୍ଦା ରେଲୱେ କ୍ୟାମ୍ପରେ କାର୍ଯ୍ୟରତ ରବି ସୋରେନ୍ ଓ ଲାଦେନ ନାୟକ ନାମକ ଦୁଇ ଯୁବକଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଗତ ଶନିବାର ରାତିରେ ଗୁରୁତର ହୋଇଥିଲା । ସେଠାରେ ଥିବା ଅନ୍ୟ ଶ୍ରମିକ ମାନେ ଉଭୟଙ୍କୁ ତୁରନ୍ତ ସୁକିନ୍ଦା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ରବି ସୋରେନକୁ ମୃତ ଘୋଷଣା କରିଥିବା ବେଳେ ଲାଦେନ ନାୟକର ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଲାଦେନର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ପାଇ ସୁକିନ୍ଦା ପୋଲିସ ମୃତ ଯୁବବକଙ୍କ ପରିବାର ବର୍ଗଙ୍କୁ ସୂଚନା ଦେବା ସହ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଦୁଇ ଯୁବକଙ୍କ ମୃତ୍ୟୁର କାରଣ ଜଣା ପଡିନଥିବା ବେଳେ ଏହି ମୃତ୍ୟୁକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି । ଏହି ଘଟଣାର ତଦନ୍ତ କରାଗଲେ ମୃତ୍ୟୁର ସତ୍ୟାସତ୍ୟ ଉନ୍ମୋଚିତ ହେବ ବୋଲି ଆଲୋଚନା ହେଉଛି ।




















