ଓଡ଼ିଶା ଲିଡ୍ସ(ଯାଜପୁର): ଗତ ସାଧାରଣ ନିର୍ବାଚନରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ବିଜେପି ବିଜୟୀ ହୋଇଥିଲା । ନିର୍ବାଚନ ପରଠାରୁ ସୁକିନ୍ଦା ସମ୍ପୂର୍ଣ୍ଣ ଅଶାନ୍ତ ହୋଇ ଉଠିଛି । ବିଧାୟକ ତଥା ଜିଲ୍ଲାର ଏକ ମାତ୍ର ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଛତ୍ର ଛାୟା ତଳେ ରହି ତାଙ୍କ ବାହୁବଳୀ କର୍ମୀ ଓ ସମର୍ଥକ ସୁକିନ୍ଦାରେ ଆତଙ୍କ ରାଜ ଓ ଗୁଣ୍ଡାରାଜ ଚଳାଇଥିବା ଅଭିଯୋଗ ହେଉଛି । ସାଧାରଣ ଲୋକଙ୍କ ଠାରୁ ନେଇ ଶ୍ରମିକ, ମହିଳା ଦୈନିକ ବିଜେପି ଗୁଣ୍ଡାଙ୍କ ଆକ୍ରମଣର ଶିକାର ହେଉଛନ୍ତି । ଆକ୍ରମଣକାରୀଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କଲେ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ପୋଲିସ । ନିକଟରେ ରୋହିତ ଖୁଣ୍ଟିଆ ନାମକ ଜଣେ ଯୁବକଙ୍କୁ ପୋଲିସ ସମ୍ମୁଖରେ ମରଣାତ୍ମକ ଆକ୍ରମଣ ସହିତ ତାଙ୍କୁ ଅପହରଣ କରାଗଲା । ପୋଲିସ ଉପସ୍ଥିତ ଥାଇ ମଧ୍ୟ ନିରବଦ୍ରଷ୍ଟା ସାଜିଥିଲା । ଏହାର କିଛି ଘଣ୍ଟା ପରେ ଆକ୍ରମଣ କରି ଅପହରଣ କରିଥିବା ଗୁଣ୍ଡା ମାନେ ତାଙ୍କୁ ଲହୁ ଲୁହାଣ କରି ଥାନା ସମ୍ମୁଖରେ ଫୋପାଡ଼ି ଦେଇ ଚାଲିଗଲେ । ଉକ୍ତ ଯୁବକ ଏବେ ଗୁରୁତର ଆହତ ହୋଇ କଟକରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ ଧରି କୋର୍ଟ ଚାଲାଣ କରି ନିରବ ବସିଛି । ପୂର୍ବରୁ ବିଭିନ୍ନ ଘଟଣାରେ ବହୁ ବ୍ୟକ୍ତି ଆହତ ହୋଇଛନ୍ତି । ମହିଳା ମାନେ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି ।
ବିଭିନ୍ନ ଘଟଣା ସୁକିନ୍ଦାବାସୀଙ୍କୁ ଚିନ୍ତାରେ ପକାଇଥିଲା ବେଳେ ଏଥିରେ ପରିବର୍ତ୍ତନ ନ ହେବା ଅଧିକ କ୍ଷୁବ୍ଧ କରିଥିଲା । ବେଶ ପ୍ରତିକ୍ରିୟା ଶୀଳ ହୋଇ ପଡ଼ିଥିଲେ ସୁକିନ୍ଦାବାସୀ । ନିକଟରେ ଯୁବକଙ୍କୁ ଅପହରଣ ଓ ଆକ୍ରମଣ ସୁକିନ୍ଦାବାସୀଙ୍କର ଏକ ପ୍ରକାର ଧର୍ଯ୍ୟଚ୍ୟୁତି ଘଟାଇ ଥିଲା । ଆତଙ୍କରାଜ, ଗୁଣ୍ଡାରାଜ ବିରୁଦ୍ଧରେ ଆଜି ସୁକିନ୍ଦା ରିଜିୟନ କ୍ରୋମାଇଟ ଖାଦାନ ମଜଦୁର ସଂଘ ପକ୍ଷରୁ ଖଣି ଅଞ୍ଚଳରେ ବନ୍ଦ ଡାକରା ଦିଆ ଯାଇଥିଲା । ଯାହା ଆଜି ସମ୍ପୂର୍ଣ୍ଣ ସଫଳ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ବନ୍ଦକୁ ଖଣିଅଞ୍ଚଳବାସୀ ଅଭୂତପୂର୍ବ ସମର୍ଥନ ଦେଇ ସମ୍ପୂର୍ଣ୍ଣ ସଫଳ କରିଥିଲେ । ଦୋକାନ ବଜାର ସହିତ ଖଣି ଖାଦାନ ସମ୍ପୂର୍ଣ୍ଣ ବନ୍ଦ ଥିଲା । ରାସ୍ତା ଘାଟରେ ଗାଡି ଚଳାଚଳ ସମ୍ପୂର୍ଣ ବନ୍ଦ ଥିଲା ବେଳେ କାଁ ଭାଁ କିଛି ବାଇକ ଗତାଗତ କରୁଥିବା ଦେଖିବାକୁ ମିଳିଥିଲା । ଆଜିର ଏହି ବନ୍ଦ ସଫଳ ହୋଇଥିବାରୁ ସୁକିନ୍ଦା ରିଜିୟନ କ୍ରୋମାଇଟ ଖାଦାନ ମଜଦୁର ସଂଘ ପକ୍ଷରୁ ସମସ୍ତ ଖଣି ଅଞ୍ଚଳବାସୀଙ୍କୁ କୃତଜ୍ଞତା ଜଣା ଯାଇଛି । ସଂଘ ପକ୍ଷରୁ କୁହାଯାଇଛି ସୁକିନ୍ଦାବାସୀ ବନ୍ଦ ପାଳନକୁ ସମର୍ଥନ କରି ବିଜେପିର ଗୁଣ୍ଡାରାଜକୁ ବିରୋଧ କରୁଥିବା ମତ ଦେଇଛନ୍ତି ।