ଓଡ଼ିଶା ଲିଡ୍ସ(ଯାଜପୁର): ସ୍ୱପ୍ନ ଦେଖିବା ଓ ତାକୁ ବାସ୍ତବରେ ପରିଣତ କରିବା ପ୍ରକୃତ ରାଜନେତାଙ୍କ କାମ । ଯେଉଁ ସ୍ୱପ୍ନକୁ ବାସ୍ତବରେ ପରିଣତ କରିଛନ୍ତି ଦିବଙ୍ଗତ ରାଜନେତା କଳ୍ପତରୁ ଦାସ । ମାଟିକୁ ଭଲ ପାଇବା ଓ ତାର ଉନ୍ନତି କରିବାର ବଡ଼ ଉଦାହରଣ ହେଲେ ସ୍ୱର୍ଗତ ଦାସ । ଆଜି ପୂର୍ବତନ ମନ୍ତ୍ରୀ ତଥା ସାଂସଦ କଳ୍ପତରୁ ଦାସଙ୍କ ଦଶମ ଶ୍ରାଦ୍ଧ ଦିବସରେ ଏହିଭଳି କହି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଇଂ ଘଡାଇ କହିଛନ୍ତି ନିଜର କର୍ମ ମୃତ୍ୟୁ ପରେବି ମଣିଷକୁ ଅମର ରଖେ । ସେଇଭଳି ବ୍ୟକ୍ତି ଥିଲେ କଳ୍ପତରୁ ଦାସ । ତାଙ୍କ କର୍ମ ତାଙ୍କୁ ଅମର କରିଛି । ସେ ରାଜନୀତିରେ ସାହସ ଓ ଭରସାର ପ୍ରତୀକ ଥିଲେ । ତାଙ୍କ ସମୟରେ ଧର୍ମଶାଳା ବିକାଶର ପ୍ରୟୋଗ ଶାଳା ଥିଲା । ଆଜି ତାଙ୍କ ଭଳି ବ୍ୟକ୍ତିଙ୍କୁ ଧର୍ମଶାଳାବାସୀ ଝୁରୁଛନ୍ତି । ମୁଁ ଯେତେବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ଥିଲି ସେହି ସମୟରେ ସ୍ଥାନୀୟ ବିଧାୟକଙ୍କୁ ପଚାରିଥିଲି ତୁମ ନିର୍ବାଚନ ମଣ୍ଡଳୀରେ କେଉଁ ଠାରେ କେଉଁ କାମ ହେବ ତାର ପ୍ରସ୍ତାବ ଦିଅ । ହେଲେ ସେ କହିଥିଲେ କୌଣସି କାର୍ଯ୍ୟ ବାକି ନାହିଁ । ଏହା ହିଁ ପ୍ରମାଣିତ କରୁଛି ସ୍ୱର୍ଗତ ଦାସଙ୍କ ଦୂରଦୃଷ୍ଟି ନିଜ ଅଞ୍ଚଳ ପ୍ରତି କିଭଳି ଥିଲା । ଆହୁରି ମଧ୍ୟ କହିଥିଲେ ଏହି କାର୍ଯ୍ୟକ୍ରମ ପାଇଁ ମୋତେ ନିମନ୍ତ୍ରଣ କରିବାକୁ ଆପଣ ମାନେ ଯାଇଥିଲେ । ମୁଁ ବିନମ୍ରତାର ସହିତ କହୁଛି ଏଭଳି କାମରେ ଯୋଗଦେବାକୁ ମତେ ନିମନ୍ତ୍ରଣର ଆଵଶ୍ୟକତା ନାହିଁ । ଆପଣଙ୍କ ଗୋଟିଏ ଫୋନ କଲରେ ମୁଁ ଆପଣଙ୍କ ନିକଟରେ ପହଞ୍ଚିବି । ଆଜିର କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ରୀତା ତରାଇ, ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର, ରାଜ ନାରାୟଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
