ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାୟଗଡାର ବରିଷ୍ଠ ନେତା ଏନ. ଭାସ୍କର ରାଓ ବିଜେଡି ଛାଡିବା ପରେ ବିଜେଡିକୁ ଅକଳରେ ପକାଇ ଦେଇଛନ୍ତି । ସେଠାରେ ଦଳ ଏବେ ସଙ୍କଟ ଭିତରେ । ଦଳର ସମ୍ମାନ ରକ୍ଷା ପାଇଁ ଶେଷରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡିଛି । ପୌର ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି । ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକ ପୌର ଉପାଧ୍ୟକ୍ଷାଙ୍କ ଅନାସ୍ଥାରେ ମୁଣ୍ଡ ଖେଳାଇଛନ୍ତି । ହେଲେ ଅନାସ୍ଥା ଭୋଟ ପୂର୍ବରୁ ୧୯ ବିଜେଡି କାଉନସିଲର ଅଜ୍ଞାତବାସରେ ରହିବା ଦଳର ଚିନ୍ତାକୁ ଦ୍ବିଗୁଣିତ କରିଛି । ଅନାସ୍ଥା ବିରୋଧରେ ଭୋଟ୍ ଦେବାକୁ ବିଜେଡି କାଉନସିଲରଙ୍କ ପାଇଁ ହ୍ବିପ୍ ଜାରି କରିଛି ଦଳ।
ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ପାଇଁ ନାଲିଆଖି ବି ଦେଖାଇଛନ୍ତି ନବୀନ।
ଆସନ୍ତାକାଲି ପୌର ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଆଗତ ଅନାସ୍ଥା ଉପରେ ଭୋଟ ଗ୍ରହଣ ହେବ। ନିକଟରେ ରାୟଗଡା ଜିଲ୍ଲାର ପ୍ରଭାବଶାଳୀ ନେତା ଏନ୍ ଭାସ୍କର ରାଓ ଦଳ ଛାଡିଛନ୍ତି । ଭାସ୍କର ରାଓ ଏହି ଅନସ୍ଥା ସମୟରେ ସମୀକରଣ ବଦଳାଇ ଦେବାର ଆଶଙ୍କା ରହିଛି । ସେଥିପାଇଁ ନବୀନ ସିଧା ହସ୍ତକ୍ଷେପ କରିଥିବା ଚର୍ଚ୍ଚା ହେଉଛି। ଚର୍ଚ୍ଚା ଅନୁଯାୟୀ ଅଜ୍ଞାତବାସରେ ଥିବା ୧୯ ବିଜେଡି କାଉନସିଲର୍ ଏବେ ଭାସ୍କର ରାଓଙ୍କ କ୍ୟାମ୍ପରେ ରହିଛନ୍ତି ।
ଅନ୍ୟପଟେ ଏନ୍. ଭାସ୍କର ରାଓ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିବା ପରେ ରାୟଗଡାରେ ବିଜେଡି ସ୍ଥିତି ଦୋହଲି ଯାଇଛି । କାଉନସିଲର ମାନଙ୍କୁ ନିଜ କ୍ୟାମ୍ପକୁ ଆଣି ବିଜେଡିକୁ ଝଟକା ଦେବା ଲକ୍ଷ୍ୟରେ ଅଛନ୍ତି ଭାସ୍କର ରାଓ। ନବୀନଙ୍କ ଏହି ହ୍ବିପକୁ କାଉନସିଲର ମାନେ ମାନିବେ ନା ଭାସ୍କର ରାଓଙ୍କ ବୋଲ ମାନିବେ ତାକୁ ଅପେକ୍ଷା ।




















