ଓଡ଼ିଶା ଲିଡ୍ସ(ବ୍ୟୁରୋ): ଦିନକୁ ଦିନ ବିଜେଡିରେ ଗୋଷ୍ଠି ବିବାଦ ତୀବ୍ର ହେଉଛି । ଶହ ଶହ ନେତା ଓ କର୍ମୀ ଦଳ ଛାଡୁଥିଲା ବେଳେ ଦଳର ଶୀର୍ଷ ନେତା ନିରବ ବସିଛନ୍ତି । ଦଳର ଭବିଷ୍ୟତ ନେଇ ଦଳର ବହୁ ନେତା ଚିନ୍ତାରେ ପଡିଛନ୍ତି । ଏହି ସମୟରେ ଦଳର ଗୋଟିଏ ଗୋଷ୍ଠି କିନ୍ତୁ କିଭଳି ଭି.କେ.ପାଣ୍ଡିଆନଙ୍କ ପତ୍ନୀ ସୁଜାତା ପାଣ୍ଡିଆନ ଦଳର ମଙ୍ଗ ଧରିବେ ତାକୁ ନେଇ ରଣନୀତି ଆଙ୍କୁଛନ୍ତି । ଏହି ଗୋଷ୍ଠି କିନ୍ତୁ ରାଜ୍ୟବାସୀଙ୍କ ମତକୁ ଆଦୌ ଗୁରୁତ୍ୱ ଦେଉ ନାହାନ୍ତି । ଦଳ ମଧ୍ୟରେ ଏହାକୁ ନେଇ ଅଦୃଶ୍ୟ ଲଢେଇ ଚାଲିଥିଲା ବେଳେ ଗତ ୧୯ ତାରିଖ ଦିନ ଭୁବନେଶ୍ୱର ଚନ୍ଦକା ଅଞ୍ଚଳରେ ଥିବା ଏକ ରିସର୍ଟରେ ୫୦ରୁ ଉର୍ଦ୍ଧ୍ଵ ପୂର୍ବତନ ବିଜେଡି ବିଧାୟକ ଏକତ୍ରିତ ହେବା ବିଜେଡି ରାଜନୀତିରେ କମ୍ପନ ସୃଷ୍ଟି କରିଛି । ରାଜ୍ୟର ଜନୈକ ପ୍ରଭାବଶାଳୀ ଯୁବ ନେତାଙ୍କ ଉଦ୍ୟମରେ ଏହି ବନ୍ଧୁ ମିଳନ ନାମରେ ବୈଠକ ହୋଇଥିଲା ବୋଲି ଚର୍ଚ୍ଚା ଜୋରଧରିଛି । ୫୦ରୁ ଉର୍ଦ୍ଧ୍ଵ ବିଜେଡି ନେତା ଏକତ୍ରିତ ହେବା ସମୟରେ ଦଳର ଶୀର୍ଷ ନେତା ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା ଦେଇଥିଲେ । ବନ୍ଧୁ ମିଳନରେ ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା ଦେବା ଏହି ମେଳିର ରାଜନୈତିକ ଦିଗକୁ ପ୍ରମାଣିତ କରୁଛି । ହେଲେ ଏହି ବୈଠକ ଅନ୍ୟ ଦିଗରୁ ଯେତିକି ଚର୍ଚ୍ଚାର ବିଷୟ ହୋଇନାହିଁ ଏହି ବୈଠକରେ ବିଜେଡିର ସପ୍ତରଥୀ ସାମିଲ ନହେବା ତା ଠାରୁ ଅଧିକ ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ଅନୁଯାୟୀ ବିଜେଡିର ସପ୍ତରଥୀଙ୍କୁ ଏଠାକୁ ନିମନ୍ତ୍ରଣ କରାଯାଇ ନଥିଲା ।
ଗତ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ପରାଜିତ ହେଲା ପରେ ଦଳ ମଧ୍ୟରେ ବିବାଦ ଅଧିକ ଘନୀଭୂତ ହୋଇଛି । ପ୍ରତିଦିନ ବିଜେଡି ନେତା ଓ କର୍ମୀ ବିଜେପିରେ ସାମିଲ ହେଉଛନ୍ତି । ବିଜେପି ସରକାର ସଠିକ ଢଙ୍ଗରେ ଚାଲି ନଥିଲା ବେଳେ, ସରକାରକୁ ନେଇ ସାଧାରଣରେ ଅସନ୍ତୋଷ ରହିଛି । ମୁଖ୍ୟ ଵିରୋଧି ଦଳ ଭାବେ ବିଜେଡି ଯେଉଁ ଢଙ୍ଗରେ ସରକାରକୁ ବିରୋଧ କରି ଘେରିବା କଥା ସେଭଳି ଢଙ୍ଗରେ ବିରୋଧ କରୁନାହିଁ ବୋଲି ରାଜ୍ୟବାସୀ ଅନୁଭବ କରୁଛନ୍ତି। ବିଜେଡି ସରକାରରେ ଯେଉଁ ମାନଙ୍କ ହାକିମାତି ପାଇଁ ଦଳ ସରକାରରୁ ଗଲା ସେମାନେ ସରକାର ବିରୁଦ୍ଧରେ ମୁହଁ ନଖୋଲି ତୁଣ୍ଡି ଦେଇ ବସିଛନ୍ତି । ମାତ୍ର ଯେଉଁ କେତେଜଣ ହାତ ଗଣତି ନେତା ଓ ନେତ୍ରୀ ମୁହଁ ଖୋଲୁଛନ୍ତି ସେମାନଙ୍କୁ ଦଳ ପକ୍ଷରୁ ସମର୍ଥନ ନଥିବା ଚର୍ଚ୍ଚା ହେଉଛି । ବିଜେଡିରେ ଦେଖା ଦେଇଥିବା ସ୍ଥାଣୁତା ଫଳରେ ବିଜେଡିର କାର୍ମୀଙ୍କ ମଧ୍ୟରେ ନିରାଶା ଛାଇ ଯାଇଛି ।
ଏବେବି ରାଜ୍ୟବାସୀ ପାଣ୍ଡିଆନ ଓ ତାଙ୍କ କୋଟେରୀଙ୍କୁ ଦଳ ପରାଜୟ ପାଇଁ ଦାବି କରୁଛନ୍ତି । ହେଲେ ଦଳ ପରାଜୟ ପରେ ପାଣ୍ଡିଆନ ତାଙ୍କ କୋଟେରୀ ସଦସ୍ୟ ମାନଙ୍କୁ ଦଳର ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ବସାଇଛନ୍ତି । ଯେଉଁ ମାନେ ଦଳ ପାଇଁ ନିଷ୍ଠାର ସହିତ କାର୍ଯ୍ୟ କରିଥିଲେ ଓ ଏବେ ମଧ୍ୟ କରୁଛନ୍ତି ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରୁ ଦୁରେଇ ରଖି ପ୍ରଭାବ ଶୁନ୍ୟ କରାଯାଉଛି । ବିଗତ ଦିନରେ ଯିଏ ପାଣ୍ଡିଆନ ଓ ତାଙ୍କ କୋଟେରୀ ବିରୁଦ୍ଧରେ ମୁହଁ ଖୋଲିଛନ୍ତି ତାଙ୍କୁ ଦଳରୁ ଦୁରେଇ ଦିଆଯାଇଥିଲା ବେଳେ ଏବେ ବି ଏହି ଧାରା ଜାରି ରହିଛି । ବିଜେଡିକୁ ନିଜ ଅଧିନକୁ ନେବାକୁ ଉଦ୍ୟମ କରୁଥିବା ପାଣ୍ଡିଆନ ରାଜ୍ୟବାସୀଙ୍କ ବିରୋଧ ପରେ ପରଦା ଆଢୁଆଳରେ ରହି ଦଳ ପରିଚାଳିତ କରୁଥିଲା ବେଳେ ତାଙ୍କ ଧର୍ମପତ୍ନୀ ସୁଜାତା ପାଣ୍ଡିଆନଙ୍କୁ ଦଳର ମୁଖ୍ୟ କରିବାକୁ ଉଦ୍ୟମ କରୁଛନ୍ତି । ଆଉ ପାଣ୍ଡିଆନଙ୍କ ଏହି ଉଦ୍ୟମକୁ ସମର୍ଥନ କରୁଛନ୍ତି ତାଙ୍କ କୋଟେରୀର ସପ୍ତରଥୀ ।
ଏହାକୁ ଦଳ ମଧ୍ୟରେ ତୀବ୍ର ବିରୋଧ କରାଯାଉଛି । ଏହା କେବଳ କେତେଜଣ ନେତା ଓ ନେତ୍ରୀଙ୍କ ବିରୋଧ ନୁହେଁ । ଏହି ବିରୋଧ ପଛରେ ରାଜ୍ୟର ଅନେକ ନେତାଙ୍କ ସମର୍ଥନ ବି ରହିଛି । ବିଭିନ୍ନ ସମୟରେ ଦଳର ବହୁ ନେତା ଓ ନେତ୍ରୀ ପାଣ୍ଡିଆନଙ୍କ ବିରୋଧରେ ମୁହଁ ଖୋଲିଥିଲା ବେଳେ ନବୀନଙ୍କ ଉପରେ ଅତୁଟ ବିଶ୍ୱାସ ଓ ଭରସା ଦେଖାଇଛନ୍ତି । ଜନୈକ ପ୍ରଭାବଶାଳୀ ଯୁବନେତାଙ୍କ ନେତୃତ୍ୱରେ ଏହି ମେଳି ହୋଇଥିଲା ବେଳେ ସେଠାରେ ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା ଦିଆ ଯାଇଥିଲା । ଯାହା ଏହି ନେତା ଓ ନେତ୍ରୀ ମାନେ ତାଙ୍କର ନବୀନଙ୍କ ପ୍ରତି ପ୍ରତିବଦ୍ଧତାକୁ ଦର୍ଶାଉଛି ନିଶ୍ଚିତ ।
ବୈଠକରେ ମିଳିତ ହୋଇଥିବା ନେତା ଓ ନେତ୍ରୀ ନିର୍ବାଚନରେ ପରାଜିତ ହୋଇଛନ୍ତି ସତ; ହେଲେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଏମାନଙ୍କ ପ୍ରଭାବ ବେଶ ଅଧିକ ରହିଛି । ଏହି ବୈଠକ ବିଜେଡିର କିଛି ନେତାଙ୍କ ଚିନ୍ତା ବଢ଼ାଇଥିଲା ବେଳେ ଆଗକୁ ଏହି ଟିମ କି ପଦକ୍ଷେପ ନେବ ତା ଉପରେ ପୁରା ରାଜ୍ୟବାସୀଙ୍କ ନଜର ରହିଛି ।




















