ଓଡ଼ିଶା ଲିଡ୍ସ(ବ୍ୟୁରୋ): ସମ୍ବଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କର ଆଜି ସନ୍ଧ୍ୟାରେ ଦେହାନ୍ତ ହୋଇ ଯାଇଛି । ସେ କିଛି ଦିନ ହେଲା ଅସୁସ୍ଥ ଥିଲା ବେଳେ ଆଜି ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ସମ୍ବଲପୁର ଶାନ୍ତିନଗର ସ୍ଥିତ ବାସ ଭବନରେ ତାଙ୍କ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ଖବର ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ଡାକ୍ତର ଭାବେ ଦୀର୍ଘବର୍ଷ ଧରି କାମ କରି ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ । ପରେ ସେ ରାଜନୀତିରେ ଯୋଗ ଦେଇଥିଲେ । ବିଜେଡି ଦଳରୁ ପ୍ରାର୍ଥୀ ହୋଇ ସେ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ସେ କେବଳ ନିଜ ନିର୍ବାଚନ ମଣ୍ଡଳୀ ସମ୍ବଲପୁର ନୁହେଁ ସାରା ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ସ୍ୱର ଉତ୍ତୋଳନ କରୁଥିଲେ ।
ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ଶୋକ
ପୂର୍ବତନ ବିଧାୟିକା ଡ଼ା ରାସେଶ୍ୱରୀ ପାଣିଗ୍ରାହୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ନିଜ ଶୋକ ବାର୍ତ୍ତାରେ ଇଂ ଘଡାଇ କହିଛନ୍ତି ସ୍ୱର୍ଗତା ପାଣିଗ୍ରାହୀଙ୍କ ଦେହାନ୍ତ ଖବର ମୋତେ ମର୍ମାହତ କରିଛି । ସେ ନିଜ ନିର୍ବାଚନ ମଣ୍ଡଳୀ ସହିତ ପଶ୍ଚିମ ଓଡ଼ିଶା ବିକାଶ ପ୍ରତି ମଧ୍ୟ ସ୍ୱର ଉତ୍ତୋଳନ କରୁଥିଲେ । ଜଣେ ସରଳ, ମେଳାପି ଓ ଦରଦୀ ମହିଳା ଭାବେ ସେ ସମସ୍ତଙ୍କ ପ୍ରିୟ ଥିଲେ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛି ।




















