ଓଡ଼ିଶା ଲିଡ୍ସ(ବ୍ୟୁରୋ): ବିଜେଡି ୨୦୧୯ରୁ ୨୦୨୪ ମସିହା ମଧ୍ୟରେ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାରକୁ ସଂସଦରେ ଅକୁଣ୍ଠ ସମର୍ଥନ ଦେବାରେ କାର୍ପଣ୍ୟ କରି ନଥିଲା । ରାଜ୍ୟ ସ୍ୱାର୍ଥ ନାମରେ ୩୨ଟି ବିଲକୁ ସମର୍ଥନ ଦେଇଥିଲା ବିଜେଡି । କେବଳ ସେତିକି ନୁହେଁ ବିଜେପିର ରାଜ୍ୟସଭା ପ୍ରାର୍ଥୀଙ୍କୁ ମଧ୍ୟ ୨ଥର ନିଃସର୍ତ୍ତ ସମର୍ଥନ ଦେଇଛି ବିଜେଡି। ଆଜି ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ ବେଳେ ବିଜେଡି ଓ କଂଗ୍ରେସ ମିଳିତ ହେବା ଏବେ ରାଜ୍ୟରେ ନୂଆ ରାଜନୀତିକ ସମୀକରଣର ମୂଳଦୁଆ ପକାଇଛି। ରାଜ୍ୟସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ସମର୍ଥନ କରିବା ଆଳରେ ପରସ୍ପର ସହ ହାତ ମିଳାଇଛନ୍ତି ବିଜେଡି, କଂଗ୍ରେସ ଓ ସିପିଆଇଏମ୍। ବିଧାନସଭାର ରୁମ୍ ନମ୍ବର-୫୫ରେ ଆଜି ଏହି ତିନି ଦଳର ବରିଷ୍ଠ ନେତାମାନଙ୍କର ରୁଦ୍ଧଦ୍ୱାର ବୈଠକ ଆୟୋଜିତ ହୋଇଥିଲା ।
ସମଦୂରତ୍ୱ କାର୍ଡ ଖେଳି ସୁବିଧାଅନୁରୂପ ପଦକ୍ଷେପ ନେଉଥିବା ନବୀନଙ୍କ ଏଭଳି ଅପ୍ରତ୍ୟାଶିତ ଆଭିମୁଖ୍ୟ କେବଳ ରାଜ୍ୟସଭା ନିର୍ବାଚନୀ ରଣନୀତି ନା ରାଜ୍ୟରେ ବିଜେପିକୁ ଟକ୍କର ଦେବା ପାଇଁ କଂଗ୍ରେସ ସହ ହାତ ମିଶାଇ ଜାତୀୟସ୍ତରରେ ଇଣ୍ଡି ମେଂଟ ଆଡ଼କୁ ଢ଼ଳୁଥିବାର ସନ୍ଦେଶ ଦେଉଛନ୍ତି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।




















