ଓଡ଼ିଶା ଲିଡ୍ସ(ବ୍ୟୁରୋ): ମର୍ଣ୍ଣିଙ୍ଗ ୱାକ ବେଳେ ଦୁର୍ଘଟଣା ଘଟିବାରୁ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଭୁବନେଶ୍ୱର-ପୁରୀ ରାସ୍ତା ଉତ୍ତରା ଛକ ନିକଟ କେଇସି କଲେଜ ସମ୍ମୁଖରେ ଏହି ମର୍ମନ୍ତୁଦ କାର ଦୁର୍ଘଟଣା ଘଟିଛି । ସକାଳୁ ସକାଳୁ ଜାତୀୟ ରାଜପଥ କଡ଼ରେ ମର୍ଣ୍ଣିଙ୍ଗ ୱାକ କରୁଥିଲା ବେଳେ ପଛ ପଟୁ ଆସି ଧକ୍କା ଦେଇଥିଲା ।
ସକାଳ ୫ଟାରେ ଉତ୍ତରା ଅଞ୍ଚଳର ଦୁଇ ଜଣ ମହିଳା ମର୍ଣ୍ଣିଙ୍ଗ ୱାକ କରୁଥିଲା ବେଳେ ଭୁବନେଶ୍ୱର ପଟୁ ଦ୍ରୁତ ଗତିରେ ଆସୁଥିବା ଏକ କଳା କାର୍ ଭାରସାମ୍ୟ ହରାଇ ଉଭୟଙ୍କୁ ଧକ୍କା ଦେଇଥିଲା । କାରଟି ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାକଡ଼କୁ ଛିଟିକି ପଡ଼ିଥିବା ବେଳେ କାର ଭିତରେ ଥିବା ଦୁଇ ଜଣଙ୍କ ଭିତରୁ ଜଣଙ୍କର ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାରଟିକୁ ଜବତ କରିବା ସହିତ ଘଟଣାର ତଦନ୍ତ କରୁଛି ।




















