ଓଡ଼ିଶା ଲିଡ୍ସ(ବ୍ୟୁରୋ): କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ଟ୍ରମା କେୟାର ଆଇସିୟୁରେ ଘଟିଥିବା ମର୍ମନ୍ତୁଦ ଅଗ୍ନିକାଣ୍ଡରେ ୧୩ ଜଣ ରୋଗୀଙ୍କ ଶୋଚନୀୟ ମୃତ୍ୟୁ ହୋଇଥିଲା ଓ ଅନେକ ଗୁରୁତର ରୋଗୀ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଵିରୋଧି ଦଳ ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଥିଲେ ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନୈତିକ ଦାୟିତ୍ୱ ନେଇ ଇସ୍ତଫା ପ୍ରଦାନ କରି ନାହାନ୍ତି । ଯାହାକୁ ନେଇ ଦୀର୍ଘଦିନ ହେଲା ବିଧାନସଭାରେ ମଧ୍ୟ ଅଚଳାବସ୍ଥା ଦେଖା ଦେଇଛି ।

ଆଜି ମିଳିତ ଵିରୋଧି ଦଳ ପକ୍ଷରୁ ଜାତୀୟ କଂଗ୍ରେସ, ବିଜେଡି, ସିପିଆଇ, ସିପିଆଇ(ଏମ), ସିପିଆଇ(ଏମ ଏଲ)ଲିବରେସନ, ଫରୱାର୍ଡ ବ୍ଲକ, ଏନ.ସି.ପି(ଶରଦ ପାୱାର), ସମାଜବାଦୀ ପାର୍ଟି, ଆର.ଜେ.ଡି ଓ ସମତା କ୍ରାନ୍ତୀ ଦଳ ପକ୍ଷରୁ ବିଶାଳ ପ୍ରତିବାଦ ସଭା ଭୁବନେଶ୍ୱର ଠାରେ ଆୟୋଜିତ ହୋଇ ଯାଇଛି । ଏହି ପ୍ରତିବାଦ ସଭାରେ ବିଭିନ୍ନ ଦଳର ନେତୃବୃନ୍ଦ ଯୋଗଦାନ କରିଥିଲେ ।
ପ୍ରତିବାଦ ସଭାରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବାକୁ ଦାବି ହୋଇଥିଲା । ଯଦି ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେବାକୁ ରାଜି ହେଉ ନାହାନ୍ତି ତାହା ହେଲେ ତାଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଦାବି ହୋଇଥିଲା । ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା ହେଉଥିବା ନାୟିକ ତଦନ୍ତ ରିପୋର୍ଟ ତୁରନ୍ତ ପ୍ରକାଶ କରିବାକୁ ଦାବି ହୋଇଥିଲା । ଏହା ସହିତ ହସ୍ପିଟାଲ ସୁପରିଟେଣ୍ଡେଣ୍ଟଙ୍କ ସମେତ ଦାୟୀ ଅଧିକାରୀଙ୍କୁ ତୁରନ୍ତ ଗିରଫ କରିବା, ପ୍ରତ୍ୟେକ ମୃତକ ପରିବାରକୁ ଏକ କୋଟି ଟଙ୍କା କ୍ଷତି ପୂରଣ ସହିତ ପରିବାରରୁ ଜଣକୁ ସରକାରୀ ଚାକିରୀ ପ୍ରଦାନ, ଆହତ ମାନଙ୍କୁ ମାଗଣା ଉନ୍ନତ ଚିକିତ୍ସା ସହିତ ୫ ଲକ୍ଷ ଟଙ୍କାର କ୍ଷତି ପୂରଣ ପ୍ରଦାନ ସହିତ ସମସ୍ତ ହସ୍ପିଟାଲରେ ସେଫ୍ଟି ଓ ସୁରକ୍ଷା ଅଡିଟ ସୁନିଶ୍ଚିତ କରିବାକୁ ଦାବି ହୋଇଥିଲା ।




















