ଓଡ଼ିଶା ଲିଡ୍ସ(ବ୍ୟୁରୋ): ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ସମ୍ବଲପୁର ଡିଭିଜନ୍ର ଡେପୁଟୀ ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କୁ ଧରିଛି ଭିଜିଲାନ୍ସ । ସମ୍ବଲପୁର ରେଳ ଷ୍ଟେସନ ନିକଟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିବା ସମୟରେ ତାଙ୍କଠାରୁ ୫ ଲକ୍ଷ ଟଙ୍କା ଜବତ କରାଯାଇଥିଲା। କୌଣସି ସୂତ୍ରରୁ ଭିଜିଲାନ୍ସ ଖବର ପାଇ ତାଙ୍କୁ ଧରିଥିଲା । ଜବତ ୫ଲକ୍ଷ ଟଙ୍କା ଲାଞ୍ଚ ଟଙ୍କା ବୋଲି ସନ୍ଦେହ କରୁଛି ଭିଜିଲାନ୍ସ ।
ଏହା ପରେ ଭିଜିଲାନ୍ସ ପକ୍ଷରୁ ସମ୍ବଲପୁର, ଭୁବନେଶ୍ୱର ଓ ଗଞ୍ଜାମର ଭଞ୍ଜନଗରରେ ଥିବା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ତାଙ୍କର ଭୁବନେଶ୍ୱର ସ୍ଥିତ ବାସଭବନରୁ ଆଉ ନଗଦ ୫ ଲକ୍ଷ ଟଙ୍କା ମିଳିଥିଲା। କେବଳ ଏତିକି ନୁହେଁ, ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ତାଙ୍କ ଭଉଣୀଙ୍କ ବାସଭବନରୁ ୭୦ଟି ୫୦୦ ଟଙ୍କିଆ ନୋଟ୍ ବିଡ଼ା ଜବତ କରିଛି । ଏକ ଟିଣ ବାକ୍ସରେ ଏହି ବିପୁଳ ଟଙ୍କା ରଖାଯାଇଥିଲା।




















