ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ ପାଇଁ ବିସିସିଆଇ ଭାରତୀୟ କ୍ରିକେଟ ଦଳ ଘୋଷଣା କରିଛି । ଏହି ଟିମରେ ଜମ୍ମୁ କଶ୍ମୀର ଦ୍ରୁତ ବୋଲର ଆକ୍ବିବ୍ ନବିଙ୍କୁ ସାମିଲ କରାଯାଇ ନାହିଁ । ପୂର୍ବତନ ପ୍ରସିଦ୍ଧ ବ୍ୟାଟର୍ ଦିଲୀପ ଭେଙ୍ଗସରକାର ଏହାକୁ ନେଇ ବିସିସିଆଇକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯଦି ଘରୋଇ କ୍ରିକେଟ୍ରେ ଭଲ ପ୍ରଦର୍ଶନକୁ ବିଚାରକୁ ନିଆଯାଉନାହିଁ, ତେବେ ତାହାକୁ ବନ୍ଦ କରିଦିଆଯାଉ। ଗତ ଋତୁରେ ଜମ୍ମୁ ଓ କଶ୍ମୀରକୁ ରଣଜୀ ଚାମ୍ପିଅନ କରିବାରେ ନବିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ସମୁଦାୟ ରଣଜୀ ଋତୁରେ ସେ ୬୦ ଓ୍ବିକେଟ୍ ନେଇଥିଲେ। ଏପରି ଚମତ୍କାର ସଫଳତା ସତ୍ତ୍ବେ ତାଙ୍କୁ ଚୟନକର୍ତ୍ତାମାନେ ଦଳରେ ସାମିଲ କରିନଥିବାରୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ଭେଙ୍ଗସରକାର କହିଛନ୍ତି, “ଚୟନକର୍ତ୍ତାଙ୍କ ନିଷ୍ପତ୍ତି ମୂର୍ଖତା ପୂର୍ଣ୍ଣ। ଏହା କେଉଁ ପ୍ରକାରର ଚୟନ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ଏହା ଅନ୍ୟାୟ ଓ ଆଦୌ ଗ୍ରହଣୀୟ ନୁହେଁଁ। ଆପଣ ନବିଙ୍କ ଦୁଃଖ ବୁଝିପାରୁଥିବେ। ଜାତୀୟ ଦଳରେ ସ୍ଥାନ ପାଇବାକୁ ସେ କଠିନ ପରିଶ୍ରମ କରିଛନ୍ତି। ଯଦି ଘରୋଇ କ୍ରିକେଟ୍ରେ ଭଲ ପ୍ରଦର୍ଶନ ଯୋଗ୍ୟତାର ମାନଦଣ୍ଡ ନୁହେଁ, ତେବେ ତାହାକୁ ବନ୍ଦ କରିଦିଆଯାଉ’’ । ଏହା ପୂର୍ବରୁ ପୂର୍ବତନ କ୍ରିକେଟର୍ ଆକାଶ ଚୋପ୍ରା ବି ଅଜିତ ଅଗରକର ନେତୃତ୍ବାଧୀନ ଚୟନ କମିଟିକୁ ସମାଲୋଚନା କରିଥିଲେ। ଜାତୀୟ ଦଳରେ ସ୍ଥାନ ପାଇବାକୁ ହେଲେ ଆଉ କ’ଣ କରିବାକୁ ହେବ ବୋଲି ଆକାଶ ମଧ୍ୟ ପ୍ରଶ୍ନ କରିଥିଲେ । ନବିଙ୍କୁ ଚୟନ କର୍ତ୍ତା ଜାଣି ଶୁଣି ଅବହେଳା କରୁଥିବା ନେଇ ସାରା ଦେଶରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି ।




















