ଓଡ଼ିଶା ଲିଡ୍ସ(ବ୍ରହ୍ମଗିରୀ): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ପରଳା ଗ୍ରାମରେ ବଜ୍ରାଘାତ ଘଟି ଏକ ଅଭାବନୀୟ ଘଟଣା ଘଟିଛି। ଅସହ୍ୟ ଗରମ ଯୋଗୁଁ ଗାଈ ବାଛୁରୀ ମାନେ ଗାଁ ମୁଣ୍ଡ ଏକ ବର ଗଛ ତଳେ ଆଶ୍ରୟ ନେଇଥିଲେ। ହଠାତ ସନ୍ଧ୍ୟା ୬ଟା ସମୟରେ ଆକାଶ ମେଘାଛନ୍ନ ହୋଇ ଅଳ୍ପ ବର୍ଷା ହୋଇଥିଲା । ଏହା ପରେ ବଜ୍ରାଘାତ ହୋଇଥିଲା। ବଜ୍ରାଘାତରେ ଘଟଣା ସ୍ଥଳରେ ୯ଟି ଗାଈଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ୧୧ଟି ଗାଈ ବାଛୁରୀ ଆହତ ହୋଇ ଘଟଣା ସ୍ଥଳରୁ କେଉଁ ଆଡ଼େ ଦୌଡ଼ି ଚାଲି ଯାଇଛନ୍ତି। ପରଳା ଗ୍ରାମର ବାଲୁଙ୍କି ମହାନ୍ତି, ଲକ୍ଷ୍ମୀଧର ପ୍ରଧାନ, ଭ୍ରମର ବର ପ୍ରଧାନ, ସୁରେନ୍ଦ୍ର ପଣ୍ଡା, ଯୋଗେନ୍ଦ୍ର ପ୍ରଧାନ, ବାସୁଦେବ ପ୍ରଧାନ, ଦୈତାରୀ ମହାନ୍ତି, ବୁଲାମଣି ପ୍ରଧାନଙ୍କ ଗାଈଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଖବର ପାଇ ଘଟଣା ସ୍ଥଳରେ ମାଲୁଦରୁ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ । ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଗାଈ ଚାଷୀଙ୍କୁ କ୍ଷତି ପୁରଣ ଦେବା ପାଇଁ ଦାବି ହେଉଛି।




















