ଓଡ଼ିଶା ଲିଡ୍ସ(ବ୍ୟୁରୋ):ତାମିଲନାଡୁ ଗ୍ୟାସ ଟ୍ରେଜେଡିରେ ୫ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ବେଳେ ଅନେକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ତିରୁଭଲ୍ଲୁର ଜିଲ୍ଲାର ପେରିୟପାଲୟମ ନିକଟସ୍ଥ କନ୍ନିଗାଇପୈରରେ ଥିବା ସି ଫୁଡ୍ ଏକ୍ସପୋର୍ଟ ଫ୍ୟାକ୍ଟ୍ରୀରେ ଅମୋନିଆ ଗ୍ୟାସ୍ ଲିକ ହେବା ଫଳରେ ଏହି ଘଟଣା ଘଟିଛି । ରବିବାର ଅପରାହ୍ନରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା । ଫଳରେ ୭ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୬୭ ଜଣ ଅସୁସ୍ଥ ହୋଇ ପଡ଼ିଥିଲେ । ମୃତ ୭ ଜଣଙ୍କ ମଧ୍ୟରେ ପ୍ରଥମେ ୨ ଜଣ ଓଡ଼ିଆ ଶ୍ରମିକ ମୃତ୍ୟୁ ବରଣ କରିଥିଲେ କିନ୍ତୁ ଆଜି ମୃତ୍ୟୁ ସଂଖ୍ୟା ସଂଖ୍ୟାକୁ ୫କୁ ବୃଦ୍ଧି ପାଇଛି।
ଗ୍ୟାସ୍ ଟ୍ରାଜେଡିରେ ୫ ଜଣ ଓଡ଼ିଆ ଶ୍ରମିକ ପ୍ରାଣ ହରାଇଥିବା ଓଡ଼ିଶାର ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଆଜି ସୂଚନା ଦେଇଛନ୍ତି।ମୃତକ ଶ୍ରମିକମାନେ ହେଲେ ଜିମାନୀ ଜୁଆଙ୍ଗ, ଗୀତା ଜୁଆଙ୍ଗ, ଭୂମିଆ ଜୁଆଙ୍ଗ, ଶିବାନୀ ଓ ଫୁଲମଣି ଜୁଆଙ୍ଗ। ସମସ୍ତଙ୍କ ଘର କେନ୍ଦୁଝର ଜିଲ୍ଲାରେ ଓ ସମସ୍ତେ ମହିଳା ବୋଲି ସୂଚନା ମିଳିଛି । ସେମାନଙ୍କ ମୃତଦେହ ଓଡ଼ିଶା ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏକ ୩ ଜଣିଆ ଟିମ୍ ତାମିଲନାଡୁ ଗସ୍ତ କରି ଥିବା ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି।
ଏହି ଘଟଣାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଗଭୀର ଶୋକ ପ୍ରକାଶ କରିବା ସହିତ ତଦନ୍ତ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ମୃତକଙ୍କ ପରିବାର ଲୋକଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି। ଅପରପକ୍ଷେ ଓଡ଼ିଶା ସରକାର ମୃତ ଓଡ଼ିଆ ଶ୍ରମିକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।
ପୂର୍ବତନ ମନ୍ତ୍ରୀଙ୍କ ଶୋକ
ତାମିଲନାଡୁ ଗ୍ୟାସ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଶ୍ରମିକ ମାନଙ୍କ ପରିବାର ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଏହା ସହିତ ଅନ୍ୟ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ ରାଜ୍ୟ ସରକାର ଆହତ ମାନଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବାକୁ ଦାବି କରିଛନ୍ତି ।




















