ଓଡ଼ିଶା ଲିଡ୍ସ(ବ୍ୟୁରୋ): ପାଠ୍ୟପୁସ୍ତକରେ ଅସଂଖ୍ୟ ତ୍ରୁଟି ନେଇ ଚାଲିଥିବା ବିବାଦ ରାଜ୍ୟ ସରକାରଙ୍କୁ ନିନ୍ଦିତ କରିଥିଲା ବେଳେ ରାଜ୍ୟ ସରକାର ତଦନ୍ତ ପରେ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ପାଠ୍ୟ ପୁସ୍ତକ ପ୍ରକାଶ ସହ ସଂପୃକ୍ତ ୪ ଜଣ ଅଧିକାରୀଙ୍କୁ ସରକାର ନିଲମ୍ବନ କରିଛନ୍ତି । ନିଲମ୍ବନ ହୋଇଥିବା ୪ ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶ ମନୋଜ ପାଢ଼ୀ, ସହକାରୀ ନିର୍ଦ୍ଦେଶକ ପ୍ରଲିପ୍ତା ପାଢ଼ୀ, ଦିଲ୍ଲୀପ କୁମାର ସାହୁ ଓ ଭାରତୀ ଟୁଡ଼ୁ ।
ପାଠ୍ୟପୁସ୍ତକରେ ତ୍ରୁଟି ନେଇ ବିଭିନ୍ନ ମହଲରୁ ସରକାର ନିନ୍ଦିତ ହେଲା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ କି, ଯେଉଁମାନେ ଏହି ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାସହ ତ୍ରୁଟି ଥିବା ବହିଗୁଡ଼ିକୁ ପ୍ରତ୍ୟାହାର କରି ଛାତ୍ରଛାତ୍ରୀମାନଙ୍କୁ ନିର୍ଭୁଲ ବହି ପ୍ରଦାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଏହାର ୨୪ ଘଣ୍ଟା ନପୂରୁଣୁ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୪ ଜଣ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି ।




















