ଓଡ଼ିଶା ଲିଡ୍ସ(ବ୍ୟୁରୋ): ବନ୍ୟାରେ ରାଜ୍ୟର ବିଭିନ୍ନ ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଛି । ଲୋକମାନେ ନାହିଁ ନଥିବା ସମସ୍ୟା ଦେଇ ଗତି କରୁଛନ୍ତି । ଏଭଳି କଠିନ ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତ କରିବା ରାଜ୍ୟବାସୀଙ୍କୁ ମର୍ମାହତ କରିଛି । ଦିଲ୍ଲୀରେ ରହି ବନ୍ୟା ଉପରେ ମୁଁ ତୀକ୍ଷ୍ମ ନଜର ରଖିଛି କହିବା ରାଜ୍ୟବାସୀଙ୍କ ପ୍ରତି ଉପହାସ ହୋଇଛି । ଯାଜପୁର ଜିଲ୍ଲାର ବିଭିନ୍ନ ନଦୀରେ ପ୍ରବଳ ବନ୍ୟା ଆସି ହଜାର ହଜାର ଲୋକ କ୍ଷତିଗ୍ରସ୍ତ ହେବା ସହିତ କୃଷି ପ୍ରଧାନ ଏହି ଜିଲ୍ଲାର ଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଛି । ଯାଜପୁର ଜିଲ୍ଲାରେ ସର୍ବାଧିକ ଘାଇ ହୋଇଥିବା ଖୋଦ ରାଜସ୍ୱମନ୍ତ୍ରୀ ସ୍ୱୀକାର କରିଛନ୍ତି । ବନ୍ୟା ପ୍ରବଣ ଯାଜପୁର ଜିଲ୍ଲାରେ ବନ୍ୟା ପୂର୍ବରୁ ବିଭିନ୍ନ ନଦୀ ବନ୍ଧକୁ ଜଳ ସଂପଦ ବିଭାଗ ମରାମତି କରିନଥିବା ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି । କିଛି ସ୍ଥାନରେ ମନୁଷ୍ୟ କୃତ ଘାଇ କରାଯାଇଥିବା ମଧ୍ୟ ସାଧାରଣ ଲୋକେ ଅଭିଯୋଗ କରୁଛନ୍ତି । ଏହା ପ୍ରମାଣିତ କରୁଛି ଜଳ ସଂପଦ ବିଭାଗ ବନ୍ୟା ସମୟରେ ନଦୀ ବନ୍ଧର ସୁରକ୍ଷା ପ୍ରତି ଆଖି ବୁଜି ଦେଇଥିଲା । ସରକାର ଜାଣି ଶୁଣି ଯାଜପୁର ଜିଲ୍ଲାବାସୀଙ୍କୁ ବିପଦ ମୁହଁକୁ ଠେଲି ଦେଇଥିବା ଅଭିଯୋଗ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ ।




















