ଓଡ଼ିଶା ଲିଡ୍ସ(ବ୍ୟୁରୋ): ସରକାରଙ୍କୁ ସହଯୋଗ କରନ୍ତୁ, ବିପଦ ଟଳିଯିବ ବୋଲି ବନ୍ୟା ସ୍ଥିତିର ସମୀକ୍ଷା କରି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ମହାନଦୀରେ ବନ୍ୟା ପାଣି ବଢୁଛି । ମହାନଦୀକୁ ଛାଡ଼ିଦେଲେ ଓଡ଼ିଶାର ବାକି ସବୁ ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ଏବେ ମହାନଦୀରେ ୮ ଲକ୍ଷ ୬୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ବନ୍ୟା ପାଇଁ ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ଏ ନେଇ ଆଲର୍ଟ କରାଯାଇଛି । ବନ୍ୟାରେ ଯାଜପୁରରେ ସର୍ବାଧିକ ଘାଇ ହୋଇଛି ବୋଲି ରାଜସ୍ୱମନ୍ତ୍ରୀ ସୂଚନା ଦେଇଛନ୍ତି । ଏବେ ପାଗ ପ୍ରାୟତଃ ଶୁଖିଲା ଅଛି, ଆସନ୍ତା କାଲି ବି ୨ ରୁ ତିନିଟି ଜିଲ୍ଲାରେ ଅଳ୍ପ ବର୍ଷା ହେବାର ଆଶଙ୍କା ଅଛି । ତେଣୁ ଆସନ୍ତା ୨୪ ଘଣ୍ଟାରେ ସ୍ଥିତିରେ ଅନେକ ସୁଧାର ଆସିବା ସହିତ ବନ୍ୟା ପାଣି କମିବା ପର୍ଯ୍ୟନ୍ତ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି । କ୍ଷୟକ୍ଷତି ରିପୋର୍ଟ ଆସିଲେ ସଙ୍ଗେ ସଙ୍ଗେ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ରାଜସ୍ୱମନ୍ତ୍ରୀ ।




















