ଓଡ଼ିଶା ଲିଡ୍ସ(ଦଶରଥପୁର): ବୈତରଣୀ ନଦୀରେ ଦ୍ୱିତୀୟ ବନ୍ୟାର ମାତ୍ର ୧୦ ଦିନ ପରେ ପୁଣି ଆସିଛି ତୃତୀୟ ବନ୍ୟା। ଜୁଲାଇ ୨୯ ତାରିଖରେ ବୈତରଣୀ ଓ ତାର ଶାଖା କାଣୀ ନଦୀ ତରପଦା ପଞ୍ଚାୟତ ଡୋବାଵିଲ ଗ୍ରାମର ପାଟଣା ଠାରେ ୨ ଟି ଘାଇ ହୋଇଥିଲା। ଉକ୍ତ ସ୍ଥାନ ଜଳସମ୍ପଦ ବିଭାଗ ପକ୍ଷରୁ ମରାମତି କରାଯାଉଥିଲା ବେଳେ ଗତ କାଲି ତୃତୀୟ ବନ୍ୟା ଆସିବା ପରେ ଘାଇ ହୋଇଥିବା ସ୍ଥାନରେ ପ୍ରାୟ ୩ ଫୁଟ ଉଚ୍ଚତାରେ ଗାଁକୁ ବନ୍ୟା ଜଳ ପ୍ରବେଶ କରୁଛି । ଫଳରେ ପୋତାଯାଇଥିବା ବଲ୍ଲା, ଟିଣ ଏବଂ ବାଲି ବସ୍ତା ପ୍ରାୟ ୨୦ ଫୁଟ ଭାଙ୍ଗି ବନ୍ୟା ଜଳରେ ଭାସି ଯାଇଥିବା ଦେଖିବାକୁ ମିଳିଛି ।

ଖବର ଲେଖା ହେବା ପର୍ଯ୍ୟନ୍ତ ନଦୀରେ ବନ୍ୟା ଜଳ ଆଖୁଆପଦା ଠାରେ ବିପଦ ସଙ୍କେତର ସାମାନ୍ୟ ତଳେ ପ୍ରବାହିତ ହେଉଥିଲେ ମଧ୍ୟ ଜଳସ୍ତର ମଧ୍ୟ ରାତ୍ରୀ ସୁଦ୍ଧା ବିପଦ ସଙ୍କେତ ଅତିକ୍ରମ କରିବ ବୋଲି ଜଳସମ୍ପଦ ବିଭାଗ ଜନସାଧାରଣଙ୍କୁ ସତର୍କ କରାଇଛି। ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବର୍ତମାନ ସୁଧା କସପା, ତରପଦା, ମଲିକାପୁର ପଞ୍ଚାୟତର ୮ଟି ଗାଁରେ ବନ୍ୟା ଜଳ ପ୍ରବେଶ କରିସାରିଲାଣି। ଏହାଛଡା ଅହିୟାସ ବଜାରରେ ମଧ୍ୟ ବନ୍ୟା ଜଳ ପ୍ରବେଶ କରିବା ଆରମ୍ଭ ହୋଇଛି। ଯାହାକି ବିପନ୍ନଙ୍କ ଦୁଃଖ ବଢ଼ାଇଦେଇଛି। ବନ୍ୟାକୁ ନେଇ ଦଶରଥପୁର ବ୍ଲକ ପ୍ରଶାସନ ସତର୍କ ଥିବା ବିଡ଼ିଓ ଆକାଶ ପଟ୍ଟନାୟକ ପ୍ରକାଶ କରିଛନ୍ତି।




















