ଓଡ଼ିଶା ଲିଡ୍ସ(ଯାଜପୁର): ଗତକାଲି ସନ୍ଧ୍ୟାରୁ ବ୍ରାହ୍ମଣୀ ଓ ତାର ଶାଖା ନଦୀ ଖରସ୍ରୋତରେ ବନ୍ୟା ଜଳ ଦ୍ରୁତ ଗତିରେ ବୃଦ୍ଧି ପାଇ ଆଜି ଅପରାହ୍ନ ସୁଦ୍ଧା ଅରୁଆଳ ଘାଇ ଅତିକ୍ରମ କରିଛି । ଏବେ ମଧ୍ୟ ବ୍ରହ୍ମଣୀର ଜଳ ସ୍ତର ବୃଦ୍ଧି ପାଇ ଚାଲିଛି । ଗତ ବନ୍ୟାରେ ବ୍ରାହ୍ମଣୀ ନଦୀରେ ତିନିଟି ଘାଇ ହୋଇଥିଲା । ଯାହାକୁ ବିଭାଗ ପକ୍ଷରୁ ସଠିକ ଭାବେ ମରାମତି କରାଯାଉ ନଥିବା ଅଭିଯୋଗ ହୋଇଥିଲା । ଆଜି ଅପରାହ୍ନରେ ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ କରିବା ଦ୍ୱାରା ବରୀ, ରମ୍ପା ଓ ଅରଙ୍ଗାବାଦ ପଞ୍ଚାୟତର ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଆଜି ମଧ୍ୟାହ୍ନରୁ ବରୀ-କାଇପଡା ରାସ୍ତାର ବାଲିବିଲ ସାଇ ମନ୍ଦିର ନିକଟରେ ରାସ୍ତାରେ ପ୍ରାୟ ତିନି ଫୁଟର ବନ୍ୟା ସ୍ରୋତ ପଡି ଗମନା ଗମନକୁ ପ୍ରଭାବିତ କରିଛି । ଅପରପକ୍ଷେ ବ୍ରହ୍ମଣୀର ରେଙ୍ଗାଲି ଡ୍ୟାମରୁ ଦୁଇଟି ଗେଟ ଦେଇ ଜଳ ନିଷ୍କାସନ ହେଉଥିଲା ବେଳେ ଆଉ ଏକ ଗେଟ ଖୋଲା ଯିବାର ଆଶଙ୍କା ରହିଛି । ଏପରି ହେଲେ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ବନ୍ୟା ଗମ୍ଭୀର ସ୍ଥିତି ସୃଷ୍ଟି କରିବାର ଆଶଙ୍କା ମଧ୍ୟ ରହିଛି ।




















