ଓଡ଼ିଶା ଲିଡ୍ସ(ଦଶରଥପୁର): ବନ୍ୟା ଯୋଗୁ ଉବୁଡୁବୁ ଅବସ୍ଥାରେ ଥିବା ବୈତରଣୀରୁ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହକୁ ଦଶରଥପୁର ଥାନା ପୋଲିସ ଉଦ୍ଧାର କରିଛି। ମହିଳାଙ୍କର ବୟସ ୪୦ବର୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଆଜି ସକାଳ ପ୍ରାୟ ୯ଟା ସମୟରେ ନଦୀ ଅବବାହିକା ଜୟନ୍ତରା ପଞ୍ଚାୟତ ମହାପାତ୍ର ସାହିକୁ ଯିବା ପୋଲରେ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଦଶରଥପୁର ପୋଲିସକୁ ସୂଚନା ଦେଇଥିଲେ। ଥାନାଧିକାରୀ ସୁବ୍ରତ ସାହୁ ସଦଳବଳେ ଘଟଣା ସ୍ଥଳରେ ପହଁଚିବା ସହିତ ପୋଲରେ ଲାଗି ରହିଥିବା ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ପୋଲିସ ଘଟଣାକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛି ।




















