ଓଡ଼ିଶା ଲିଡ୍ସ(ବ୍ୟୁରୋ): ପୁଣି ମଣିପୁରରେ ହିଂସା ଭୟଙ୍କର ରୂପ ନେଉଛି। ରବିବାର କୁକି ସମ୍ପ୍ରଦାୟର ୪ ଜଣଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଗତକାଲି ପୁଣି ଜିରିବାମ ଜିଲ୍ଲାର ଲେସାଙ୍ଗ କୁକି ଗ୍ରାମରେ ଜମିରେ କାମ କରୁଥିଲା ବେଳେ ୨ ଜଣ ଆଦିବାସୀ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଛି। କେବଳ ସେତିକି ନୁହେଁ ଅନେକ ଫାର୍ମହାଉସ୍ରେ ଦୁର୍ବୃତ୍ତମାନେ ମଧ୍ୟ ନିଆଁ ଲଗାଇଦେଇଛନ୍ତି। ଏହି ଘଟଣା ପରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ମହିଳାମାନେ ସେମାନଙ୍କ ଚାଷଜମିରେ କାମ କରୁଥିବାବେଳେ ଗତକାଲି ଅପରାହ୍ଣ ପ୍ରାୟ ୩ଟାରେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା। ସ୍ଥାନୀୟ ସୂତ୍ର ଅନୁଯାୟୀ, ଆକ୍ରମଣ ସମୟରେ ଆହୁରି ଅନେକ ଗ୍ରାମବାସୀ ଚାଷଜମିରେ କାମ କରୁଥିଲେ। ସେମାନଙ୍କ ସମ୍ପର୍କରେ କିଛି ଖୋଜଖବର ମିଳିନାହିଁ।
ମୃତ ୨ ମହିଳାଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ଚୋଙ୍ଗା ସିତଲୋଉ (୬୦) ଓ କିମବୋଇ ସିଙ୍ଗସନ୍ (୩୦)। ଉଭୟ ଲେସାଙ୍ଗ ଗ୍ରାମର ବାସିନ୍ଦା। ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ଚୋଙ୍ଗା ତାଙ୍କ ଚାଷଜମିରେ ଜାଳେଣି କାଠ ସଂଗ୍ରହ କରି ରଖୁଥିବାବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। କିମବୋଇ ସିଙ୍ଗସନ୍ ନିକଟରେ ନର୍ସିଂ ପାଠ ଶେଷ କରିଥିଲେ। ସେ ଚାଷକାମରେ ବାପାମାଆଙ୍କୁ ସହଯୋଗ କରିବା ପାଇଁ ଘରକୁ ଆସିଥିଲେ। ତେବେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି।




















