ଓଡ଼ିଶା ଲିଡ୍ସ(ଦଶରଥପୁର):ପାଠପଢ଼ା ସହ କ୍ରୀଡ଼ା ହିଁ ଛାତ୍ରଜୀବନର ଅନ୍ୟତମ ଅବିଚ୍ଛେଦ୍ୟ ଅଙ୍ଗ। କ୍ରୀଡ଼ା ମାଧ୍ୟମରେ ଶାରୀରିକ ସୁସ୍ଥତା ସହ ଶୃଙ୍ଖଳା, ଧୈର୍ଯ୍ୟ, ଦଳଗତ ଏକତା, ନେତୃତ୍ୱ ଓ ପ୍ରତିଯୋଗିତାର ମନୋଭାବ ବିକଶିତ ହୋଇଥାଏ। ଦଶରଥପୁର ସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇଦିନ ଧରି କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହେଉଛି। ଏହି ଦୁଇଦିନିଆ କ୍ରୀଡ଼ା ପ୍ରତିଯୋଗିତାରେ ଦଶରଥପୁର ମଣ୍ଡଳ ଅଧୀନ ୫୪ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଯୋଗଦେଇଛନ୍ତି। ଖୋଖୋ, କବାଡ଼ି ଓ ରଗ୍ବି ଫୁଟବଲ ଭଳି ସମୂହ କ୍ରୀଡ଼ାରେ ଛାତ୍ରଛାତ୍ରୀମାନେ ନିଜର ଖେଳକୌଶଳ ଓ ପ୍ରତିଭା ପ୍ରଦର୍ଶନ କରୁଛନ୍ତି। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଖେଳାଳିଙ୍କ ଉପସ୍ଥିତିରେ ବିଦ୍ୟାଳୟ ପରିସରରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଥିବା ବେଳେ ଖେଳ ପଡ଼ିଆରେ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଛି ।ଏହି ପ୍ରତିଯୋଗିତାର ଉଦ୍ଘାଟନୀ ଉତ୍ସବରେ ପିଏମ୍ ଶ୍ରୀ ଦଶରଥପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଜନୀକାନ୍ତ ମଲ୍ଲିକ ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମରେ ଦଶରଥପୁର ବ୍ଲକ ମଣ୍ଡଳ ଶିକ୍ଷା ଅଧିକାରୀ ସତ୍ୟବ୍ରତ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡ଼ାର ଗୁରୁତ୍ୱ ସମ୍ପର୍କରେ ମତ ରଖିଥିଲେ। ପଞ୍ଚଶାଖା ଶିକ୍ଷା ସେତୁ ସଂଗଠନର ସଭାପତି ନାରାୟଣ ଚନ୍ଦ୍ର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ କ୍ରୀଡ଼ାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଗ୍ରାମାଞ୍ଚଳରେ ଲୁଚି ରହିଥିବା ଅନେକ କ୍ରୀଡ଼ା ପ୍ରତିଭାଙ୍କୁ ଏଭଳି ପ୍ରତିଯୋଗିତା ନିଜର ଦକ୍ଷତା ଦେଖାଇବା ପାଇଁ ସୁଯୋଗ ଦେଇଥାଏ ବୋଲି ସେ ମତ ଦେଇଥିଲେ। ସଭାରେ ସମ୍ମାନନୀୟ ଅତିଥି ଭାବେ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଦେବଦତ୍ତ ବେହେରା ବେଦପାଠ କରିଥିଲେ। ପରେ ଜଗନ୍ନାଥଙ୍କ ଫଟୋଚିତ୍ର ନିକଟରେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ ସହିତ ପୁଷ୍ପାଞ୍ଜଳି ପ୍ରଦାନ କରି କ୍ରୀଡ଼ା ଉତ୍ସବର ଶୁଭାରମ୍ଭ କରିଥିଲେ।



















