ଓଡ଼ିଶା ଲିଡ୍ସ(ଦଶରଥପୁର): ସରକାର କ୍ରୀଡାକୁ ପ୍ରାଧାନ୍ୟ ଦେଉଥିଲା ବେଳେ ଦଶରଥପୁର ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ୧୮୪ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ୫୩ଟି ଉଚ୍ଚ ବିଦ୍ୟାଳୟରେ ଖେଳ ବ୍ୟବସ୍ଥା ନାହିଁ ବୋଲି ଅଭିଯୋଗ ହୋଇଛି। ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ଏହି ସବୁ ବିଦ୍ୟାଳୟକୁ ପ୍ରଦାନ କରାଯାଇଥିବା କ୍ରୀଡା ଅନୁଦାନରେ ବ୍ୟାପକ ହେର ଫେର ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟକୁ ମିଳିଥିବା କ୍ରୀଡା ସାମଗ୍ରୀ ଆଲମିରାରେ ବନ୍ଦ ହୋଇ ରହିଛି କିମ୍ବା କାଗଜପତ୍ରରେ କ୍ରୀଡା ସାମଗ୍ରୀ କିଣା ଯାଇଥିବା ଦର୍ଶାଇ ଅନୁଦାନ ଅର୍ଥକୁ ଆତ୍ମସାତ କରାଯାଇଛି ତାହା ସନ୍ଦେହ ସୃଷ୍ଟି କରିଛି ।
ସରକାରଙ୍କ ନିର୍ଦେଶ ଅନୁସାରେ ୨୦୨୫/୨୬ଆର୍ଥିକ ବର୍ଷରେ ସମଗ୍ର ଶିକ୍ଷା ଅଧିନରେ ଥିବା ପ୍ରତି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଖେଳ ସାମଗ୍ରୀ ପାଇଁ ୫ହଜାର, ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୧୦ହଜାର ଓ ଉଚ୍ଚ ବିଦ୍ୟାଳୟକୁ ୨୫ହଜାର ଟଙ୍କା କ୍ରୀଡା ଅନୁଦାନ କ୍ରମରେ ମଣ୍ଡଳ ଅଧିନ ୨୧୯ ବିଦ୍ୟାଳୟକୁ ମୋଟ ୨୧ଲକ୍ଷ ୩୦ହଜାର ଟଙ୍କା ଯୋଗାଇ ଦିଆଯାଇଥିଲା। ଏହି ଟଙ୍କାରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଫୁଟବଲ, ଭଲିବଲ, ଲୁଡୁ, ଚେସ, ସ୍କିପିଂ ଦଉଡି କିଣି ଛାତ୍ର ଛାତ୍ରୀଙ୍କ କ୍ରୀଡା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସ୍ପଷ୍ଟ ନିର୍ଦେଶ ଥିବା ବେଳେ ଦଶରଥପୁର ଶିକ୍ଷାମଣ୍ଡଳ ଅଧିନ ବିଦ୍ୟାଳୟ ମାନଙ୍କରେ ଏହି ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି ।୬୦%ବିଦ୍ୟାଳୟରେ ବ୍ୟବସ୍ଥିତ ଖେଳ ପଡିଆ ନଥିବା ସ୍ଥଳେ ଯେଉଁଠି ଖେଳ ପଡିଆ ଅଛି ସେଠାରେ ପିଲାଙ୍କୁ ଖେଳ ସାମଗ୍ରୀ ପ୍ରଦାନ କରାଯାଉନାହିଁ ବୋଲି ଅଭିଯୋଗ ହୋଇଛି ।ଫଳରେ ଖେଳ ଛୁଟିରେ ଅନେକ ବିଦ୍ୟାଳୟରେ ପିଲା ଏଣେ ତେଣେ ବୁଲାବୁଲି କରୁଥିବା ଦେଖିବାକୁ ମିଳୁଥିବା ବେଳେ ଆଉ କେଉଁ ବିଦ୍ୟାଳୟରେ ପିଲା ଘରୁ ପ୍ଲାଷ୍ଟିକ ବ୍ୟାଟ ଓ ବଲରେ ଖେଳୁ ଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଅବିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।



















