ଓଡ଼ିଶା ଲିଡ୍ସ(ଦଶରଥପୁର): ରିଲିଫ ପ୍ରଦାନରେ ଅବହେଳା ପ୍ରତିବାଦରେ ରାସ୍ତା ଉପରେ ବସିଛନ୍ତି ବନ୍ୟା ପୀଡିତ । ଘାଇ ହେବାକୁ ୪୮ ଘଣ୍ଟା ବିତିଥିଲେ ବି ବନ୍ୟା ବିପନ୍ନଙ୍କ ପାଖରେ ସରକାରୀ ରିଲିଫ ସାମଗ୍ରୀ ପହଞ୍ଚାଇ ପାରିନାହିଁ ପ୍ରଶାସନ। ଏହାକୁ ନେଇ ବିପନ୍ନଙ୍କ ମଧ୍ୟରେ ପ୍ରତିବାଦର ସ୍ୱର ଉଠିଛି । ଦଶରଥପୁର ବ୍ଲକ ବୈତରଣୀ ନଦୀ ମୁଖ୍ୟ ବନ୍ଧ ସୁନ୍ଦରାହୀମୁହଁ ଠାରୁ ଅର୍ଦ୍ଦାଳୁଆ ରାସ୍ତା ଡୋଭାବିଲ ଠାରେ ରାସ୍ତାରେ ବାଉଁଶ ବାନ୍ଧି ବନ୍ୟା ବିପନ୍ନ ଧାରଣାରେ ବସିଥିଲେ । ଅଭିଯୋଗ ଅନୁସାରେ ଗତ ୨୫ ତାରିଖ ସକାଳୁ ବୈତରଣୀ ନଦୀରେ ବନ୍ୟା ଆସିବା ଫଳରେ ଶାଖା ନଦୀ କାଣୀ ନଦୀରେ ତରପଦା ପଞ୍ଚାୟତ ଡୋଭାଵିଲ ପାଟଣା ଠାରେ ପୁଣି ୧୦୦ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ତରପଦା ଏବଂ କସପା ପଞ୍ଚାୟତର ପ୍ରାୟ ୩୦୦ ପରିବାର ବୈତରଣୀ ଏବଂ କାଣୀ ନଦୀ ବନ୍ଧରେ ଗତ କାଲି ସକାଳୁ ପାଲ ଟାଣି ରହୁଛନ୍ତି। ଚଳିତ ବନ୍ୟାକୁ ୨ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ରିଲିଫ ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି। ହଠାତ ବନ୍ୟା ଆସିବାରୁ ଖାଦ୍ୟ ସାମଗ୍ରୀ ଉଦ୍ଧାର କରିପାରି ନଥିଲେ ବନ୍ୟା ପୀଡ଼ିତା। ଏବେ ସେମାନେ ଭୋକ ଉପାସରେ ଦିନ କାଟୁଛନ୍ତି । ଏହାକୁ ନେଇ ବିପନ୍ନମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଏହାର ପ୍ରତିବାଦରେ ରାସ୍ତାରେ ବାଉଁଶ ବାନ୍ଧି ପୀଡିତ ମାନେ ଧାରଣାରେ ବସିଥିଲେ। ଯାହାକୁ ନେଇ କିଛି ସମୟ ପାଇଁ ଗାଡି ମୋଟର ଚଳାଚଳ ବଧାପ୍ରାପ୍ତ ହୋଇଥିଲା ।

ସେହି ବାଟ ଦେଇ ଘାଇ ସ୍ଥଳକୁ ଯାଉଥିବା ଯାଜପୁର ବିଧାୟିକା ସୁଜାତା ସାହୁଙ୍କୁ ମଧ୍ୟ କିଛି ସମୟ ପାଇଁ ବିପନ୍ନଙ୍କ ରୋଷର ଶିକାର ହେବାକୁ ପଡିଥିଲା। ବିଧାୟିକା ଏଥିନେଇ ଜିଲ୍ଲାପାଳ ଅମ୍ବର କୁମାର କର ଓ ଦଶରଥପୁର ବିଡ଼ିଓଙ୍କୁ ଏ ସମ୍ପର୍କରେ ଅବଗତ କରିବା ସହିତ ଆସନ୍ତା କାଲି ଠାରୁ ସମସ୍ତ ବନ୍ୟା ବିପନ୍ନଙ୍କ ପାଇଁ ଶୁଖିଲା ଖାଦ୍ୟ,ରନ୍ଧା ଖାଦ୍ୟ ପ୍ରଦାନ ପାଇଁ ନିର୍ଦେଶ ଦେଇଛନ୍ତି।



















