ଓଡ଼ିଶା ଲିଡ୍ସ(ବରୀ): ସରକାର ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣକୁ ଗୁରୁତ୍ୱ ଦେଉଛନ୍ତି । ବୃକ୍ଷ ରୋପଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲା ବେଳେ ବରୀ ବ୍ଳକରେ ବୃକ୍ଷ ରୋପଣ ନାମରେ ଲକ୍ଷ ଲକ୍ଷ ଟଙ୍କା ଲୁଟ ହେଉଛି । ବିଭିନ୍ନ ପଞ୍ଚାୟତରେ ଏହି ଲୁଟ ହୋଇଥିବା ଅଭିଯୋଗ ହେଉଥିଲା ବେଳେ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ଏହା ଲୁଟେରାଙ୍କୁ ଅଧିକ ପ୍ରୋତ୍ସାହିତ କରୁଛି । ବିଗତ ଦିନ ମାନଙ୍କରେ ବିଭିନ୍ନ ପଞ୍ଚାୟତ ପକ୍ଷରୁ ବୃକ୍ଷ ରୋପଣ ହୋଇଥିଲା । ହେଲେ ବୃକ୍ଷ ରୋପଣ ପରେ ଏହାର ରକ୍ଷଣାବେକ୍ଷଣ ପ୍ରତି ଆଦୌ ଗୁରୁତ୍ୱ ଦିଆଗଲା ନାହିଁ । ନାଁ ଗଛରେ ପାଣି ଦିଆଗଲା, ନା ଗଛ ଚାରିପଟେ ଦିଆଯାଉଥିବା ବାଡ଼କୁ ସୁରକ୍ଷିତ ରଖାଗଲା । ଫଳରେ ଗଛ ଗୁଡିକୁ ଗାଈଗୋରୁ ଖାଇଦେଲେ । କିଛି ଗଛରେ ଅନାଵନା ଲଟା ମାଡି ତାକୁ ନଷ୍ଟ କରିଦେଲା । ଏବେ ପୁଣି ବିଭିନ୍ନ ପଞ୍ଚାୟତରେ ବୃକ୍ଷ ରୋପଣ ଆରମ୍ଭ ହୋଇଛି । ପଞ୍ଚାୟତ ପକ୍ଷରୁ ହେଉଥିବା ବୃକ୍ଷ ରୋପଣରେ କେତେ ବୃକ୍ଷ ଲାଗୁଛି ଓ ଏଗୁଡିକ ମଧ୍ୟରୁ କେତେ ବଞ୍ଚିବ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ବୃକ୍ଷ ରୋପଣ ସ୍ଥାନରେ ସୂଚନା ଫଳକ ମଧ୍ୟ ଲଗାଯାଉ ନଥିବା ଦେଖିବାକୁ ମିଳିଛି । ବୃକ୍ଷ ରୋପଣ ନାମରେ ସରକାରଙ୍କ ଆଖିରେ ଆଙ୍ଗୁଳି ଗେଞ୍ଜି ବରୀ ବ୍ଳକରେ ଲକ୍ଷ ଲକ୍ଷ ଟଙ୍କା ଲୁଟ ହେଉଥିଲା ବେଳେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି ।



















