ଓଡ଼ିଶା ଲିଡ୍ସ(ପୁରୀ): ପୁରୀ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠରେ ଆଜିଠାରୁ ଆନୁଷ୍ଠାନିକ ଭାବେ ସ୍ୱତନ୍ତ୍ର ରୀତିନୀତି ଏବଂ ପାର୍ବଣ ପୂଜା ଆରମ୍ଭ ହୋଇଛି । ମୂଳାଷ୍ଟମୀ ଅବସରରୁ ମା’ଙ୍କ ନିକଟରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଥିବାବେଳେ ଆଜି ଏକ ସ୍ୱତନ୍ତ୍ର ପରମ୍ପରା ଅନୁଯାୟୀ ମନ୍ଦିର ପରିସରରେ ଥିବା ପବିତ୍ର କୂଅରୁ ୧୦୮ ଗରା ସୁବାସିତ ଜଳ ଅଣାଯାଇ ମା’ଙ୍କୁ ମହାସ୍ନାନ କରାଯାଇଛି । ଏହି ପୂଜାକୁ ଦୃଷ୍ଟିରେ ରଖି ପ୍ରତିଦିନ ମା’ଙ୍କ ଦର୍ଶନ ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ବଢିବାରେ ଲାଗିଛି । ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବରେ ମା’ଙ୍କ ଦର୍ଶନ ଏବଂ ପୂଜାର୍ଚ୍ଚନା କରିପାରିବେ, ସେଥିପାଇଁ ମଙ୍ଗଳା ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ପ୍ରଶାସନ ସହାୟତାରେ ବ୍ୟାପକ ବନ୍ଦୋବସ୍ତ ସହିତ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।



















