ଓଡ଼ିଶା ଲିଡ୍ସ(ପୁରୀ): ସାପ ସହିତ ଖେଳ ଖେଳିବା ଜଣେ ସାପ ଧରାଳିଙ୍କ ପାଇଁ କାଳ ହୋଇଛି । ବିଷାକ୍ତ ସାପକୁ ସହଜରେ କାବୁ କରିନେଉଥିବା ସାପ ଧରାଳି ଜଣକ ଶେଷରେ ନାଗ ସାପ ଦଂଶନରେ ପ୍ରାଣ ହରାଇଛନ୍ତି । ମୃତକ ଜଣକ ହେଲେ ସଦରଥାନା ଅଧୀନ କଣ୍ଟପୁର ଗ୍ରାମର ୫୭ ବର୍ଷୀୟ ତପନ କୁମାର ପ୍ରଧାନ। ସେ ତାଙ୍କ ଜୀବନକାଳ ମଧ୍ୟରେ ଶତାଧିକ ସାପ ଧରିଥିଲେ। ଶୁକ୍ରବାର ଅପରାହ୍ନ ୨ଟାରେ ତପନ ନିଜ ଘର ବାରଣ୍ଡାରେ ଏକ ନାଗ ସାପ ସହ ରିଲ୍ସ କରିବା ସହ ଫୋଟୋ ଉଠାଇବାରେ ବ୍ୟସ୍ତ ଥିଲେ। ଏହି ସମୟରେ ନାଗ ସାପଟି ପ୍ରଥମେ ତାଙ୍କ ହାତର ଆଙ୍ଗୁଠିକୁ କାମୁଡ଼ି ଦେଇଥିଲା। ପରେ ପରେ ସାପଟି ତାଙ୍କ କହୁଣୀ ଓ ବାହୁକୁ ମଧ୍ୟ କାମୁଡ଼ିଥିଲା।
ଘଟଣା ପରେ ତପନଙ୍କୁ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ଇଞ୍ଜେକ୍ସନ୍ ଦେଇଥିଲେ ଏବଂ ୯୦ ମିନିଟ୍ ପରେ ଆଉ ଏକ ଇଞ୍ଜେକ୍ସନ୍ ନେବା ପାଇଁ ପରାମର୍ଶ ଦେଇଥିଲେ। ତପନ କିନ୍ତୁ ଆଉ ଇଞ୍ଜେକ୍ସନ ନନେଇ ଘରକୁ ଫେରିଆସିଥିଲେ। ଅପରାହ୍ନରେ ସେ ଅସୁସ୍ଥ ହୋଇପଡ଼ିବାରୁ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।



















