ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆସନ୍ତା କାଲି ଗୁଜୁରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜିତ ହେବ T-20 ୨୦୨୬ର ବହୁ ପ୍ରତୀକ୍ଷିତ ଫାଇନାଲ ମ୍ୟାଚ । ଦୁଇ ପ୍ରତିଦ୍ୱନ୍ଦୀ ଟିମ ଭାବେ ମଇଦାନରେ ମୁହାଁ ମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ଗତ ୨୦୨୩ ସୀମିତ ଓଭର ବିଶ୍ୱକପ ଫାଇନାଲରେ ଭାରତ ଏହି ଷ୍ଟାଡିୟମରେ ଆଷ୍ଟ୍ରେଲିଆ ନିକଟରୁ ଶୋଚନୀୟ ଭାବେ ପରାଜିତ ହୋଇଥିଲା । ତୁର୍ଣ୍ଣାମେଣ୍ଟରେ ଅପରାଜିତ ରହି ଫାଇନାଲ ଆସିଥିବା ଭାରତ ଏଠାରେ ପରାଜିତ ହେବା କୋଟି କୋଟି କ୍ରିକେଟ ପ୍ରେମୀଙ୍କ ମନ ଭାଙ୍ଗି ଦେଇଥିଲା । ଏବେ ପୁଣି ତିନି ବର୍ଷ ପରେ ଭାରତ ସମାନ ଯାଗାରେ ଫାଇନାଲ ଖେଳୁଛି । ଫର୍ମାଟ ଓ ପ୍ରତିଦ୍ୱନ୍ଦୀ ବଦଳି ଥିଲେ ମଧ୍ୟ ପ୍ରତିଯୋଗିତା ଓ ଷ୍ଟାଡିୟମ କିନ୍ତୁ ସମାନ ଯାହା ଭାରତୀୟ ପ୍ରଶଂସକଙ୍କୁ କିନ୍ତୁ ଚିନ୍ତାରେ ପକାଇ ଦେଇଛି ।
ଭାରତ ଏଠାରେ ନ୍ୟୁଜିଲାଣ୍ଡକୁ ହରାଇ ବିଶ୍ୱକପ ଜିତିବ ବୋଲି ଦେଶବାସୀ ଆଶା ବାନ୍ଧିଥିଲା ବେଳେ ବିଶ୍ୱର ଦୁଇଜଣ ଏକ ନମ୍ବର T-20 ବ୍ୟାଟ୍ସମ୍ୟାନ ଓ ବୋଲର କିନ୍ତୁ ଭାରତୀୟ ଦଳ ନୁହେଁ ତମାମ ଦେଶର କ୍ରିକେଟ ପ୍ରେମୀଙ୍କ ଚିନ୍ତାର କାରଣ ହୋଇଛନ୍ତି । ନିଜ ପ୍ରଦର୍ଶନ ବଳରେ ବିଶ୍ୱର ୧ନମ୍ବର T-20 ବ୍ୟାଟର ହୋଇଥିବା ଅଭିଷେକ ଶର୍ମା ସମସ୍ତଙ୍କୁ ଚଳିତ ବିଶ୍ୱକପରେ ନିରାଶ କରିଛନ୍ତି । ୭ଟି ମ୍ୟାଚ ଖେଳି ସେ ମାତ୍ର ୮୯ ରନ କରିବାକୁ ସକ୍ଷମ ହୋଇଛନ୍ତି । ଏହି ରନ ମଧ୍ୟରେ ମାତ୍ର ଗୋଟିଏ ଅର୍ଦ୍ଧ ଶତକ ରହିଥିଲା ବେଳେ ସେ ତିନିଟି ମ୍ୟାଚରେ ଲଗାତାର ଶୁନ୍ୟରେ ଆଉଟ ହୋଇଛନ୍ତି । ଦଳ ଓ ପ୍ରଶଂସକଙ୍କୁ ସେ ସମ୍ପୂର୍ଣ୍ଣ ନିରାଶ କରିଛନ୍ତି । ଅନ୍ୟ ପକ୍ଷରେ ବିଶ୍ୱର ୧ ନମ୍ବର ବୋଲର ମାନ୍ୟତା ପ୍ରାପ୍ତ ବରୁଣ ଚକ୍ରବର୍ତ୍ତୀ ମଧ୍ୟ ସେଭଳି ସଫଳ ହୋଇ ନାହାନ୍ତି । ନିଜ ଯାଦୁକାରୀ ସ୍ପିନ ବୋଲିଙ୍ଗରେ ବିଶ୍ୱର ନାମ କରା ବ୍ୟାଟ୍ସମ୍ୟାନଙ୍କ ନିଦ ହଜାଇ ଦେଉଥିବା ବରୁଣ କିନ୍ତୁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ଅବଶ୍ୟ ସେ ଉଇକେଟ ନେଉଛନ୍ତି ସତ, ହେଲେ ସେ ତାଙ୍କ ସ୍ପେଲରେ ବିପୁଳ ରନ ପ୍ରଦାନ କରିବା ଦଳ ପାଇଁ ଚିନ୍ତାର କାରଣ ହୋଇଛି ।
ଏମାନଙ୍କ ବଦଳରେ ଦଳ ରିଙ୍କୁ ସିଂ ଓ କୁଲଦୀପ ଯାଦବଙ୍କୁ ଫାଇନାଲ ମ୍ୟାଚରେ ସାମିଲ କରିପାରେ ବୋଲି ଚର୍ଚ୍ଚା ହେଉଛି । ରିଙ୍କୁ ଜଣେ ଫିନିସର ଭାବେ ଖ୍ୟାତି ଅର୍ଜନ କରିଥିଲା ବେଳେ ଜଣେ ଚମତ୍କାର ଫିଲଡ଼ର ମଧ୍ୟ । କଚଟି ବୋଲର ଭାବେ କୁଲଦୀପ ମଧ୍ୟ ବେଶ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ତେବେ ଦେଖିବାର କଥା ଟିମ ମ୍ୟାନେଜମେଣ୍ଟ ଆଗକୁ କି ପଦକ୍ଷେପ ନେଉଛି । ବିଶ୍ୱର ଦୁଇ ଏକ ନମ୍ବର ଖେଳାଳିଙ୍କୁ ଦଳରେ ସାମିଲ କରୁଛି ନା ବର୍ତ୍ତମାନର ଫର୍ମ କାରଣରୁ ଉଭୟଙ୍କୁ ବାହାରେ ବସାଉଛି ।




















