ଓଡ଼ିଶା ଲିଡ୍ସ(ବ୍ୟୁରୋ): ଗତ ୨୦୨୩ ମସିହା ଦିନିକିଆ ବିଶ୍ୱକପ ଫାଇନାଲ ମ୍ୟାଚ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆୟୋଜିତ ହୋଇଥିଲା ବିଶ୍ୱର ସବୁ ଠାରୁ ବଡ଼ କ୍ରିକେଟ ଷ୍ଟାଡିୟମ ଗୁଜୁରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ । ପୂର୍ବରୁ ସମସ୍ତ ମ୍ୟାଚ ଜିତି ଫାଇନାଲରେ ପ୍ରବେଶ କରିଥିବା ଭାରତ ଫାଇନାଲରେ ମଧ୍ୟ ବିଜୟୀ ହେବ ବୋଲି ଆଶା ବାନ୍ଧିଥିବା କୋଟି କୋଟି ପ୍ରଶଂସକ କିନ୍ତୁ ନିରାଶ ହୋଇଥିଲେ ଯେତେବେଳେ ଅଷ୍ଟ୍ରେଲିଆ ଭାରତକୁ ପରାଜିତ କରି ବିଶ୍ୱ ବିଜୟୀ ହୋଇଥିଲା । କୋଟି କୋଟି ଭାରତୀୟ ଦଳ ପାଇଁ ନରେନ୍ଦ୍ର ମୋଦି ଷ୍ଟାଡିୟମ ଅଶୁଭ ବୋଲି ଚର୍ଚ୍ଚା କରିଥିଲେ । ପ୍ରାୟ ତିନି ବର୍ଷ ପରେ ପୁଣି ଆଉ ଏକ ବିଶ୍ୱକପ ଫାଇନାଲ ମ୍ୟାଚ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳିବାକୁ ଯାଉଛି ଭାରତ ।
ମ୍ୟାଚ ପୂର୍ବରୁ କିନ୍ତୁ ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା । ପୂର୍ବ ଫାଇନାଲ ପରି ଭାରତ ଏଠାରେ ପୁଣି ପରାଜିତ ହେବ ନାହିଁ ତ ? ଭାରତ ହାତରୁ ନ୍ୟୁଜିଲାଣ୍ଡ ବିଶ୍ୱକପ ଛଡାଇ ନେବ ନାହିଁ ତ ? ଏହି ଭଳି ତମାମ ପ୍ରଶ୍ନ ଭାରତୀୟଙ୍କ ମନରେ ଖେଳି ବୁଲୁଥିଲା ବେଳେ ଭାରତୀୟ ଦଳ ମଧ୍ୟ ଏଥିରୁ ବାଦ ପଡି ନାହିଁ । ଭାରତୀୟ ଦଳ ପୂର୍ବ ଫାଇନାଲ ବେଳେ ରହୁଥିବା ହୋଟେଲ ବଦଳାଇ ସାରିଥିଲା ବେଳେ ଡ୍ରେସିଂ ରୁମ ମଧ୍ୟ ପରିବର୍ତ୍ତନ କରିଥିବା ରିପୋର୍ଟ ପ୍ରକାଶ ପାଇଛି । ରେକର୍ଡ କହୁଛି ଭାରତ ଏଠାରେ ୧୦ ଟି ମ୍ୟାଚ ଖେଳି ୭ଟିରେ ଜିତିଥିଲା ବେଳେ ୩ଟିରେ ପରାଜିତ ହୋଇଛି । ଚଳିତ ବିଶ୍ୱକପରେ ଏଠାରେ ନେଦରଲ୍ୟାଣ୍ଡସକୁ ଭାରତ ହରାଇଥିଲେ ମଧ୍ୟ ଫାଇନାଲରେ ଭାଗ୍ୟ ଭାରତ ପଟେ ରହିବ କି ବିଇରୀ ସାଜିବ ତାକୁ ନେଇ ଆଶା ଓ ଆଶଙ୍କା ଭିତରେ ବୁଡି ରହିଛନ୍ତି କୋଟି କୋଟି ଭାରତୀୟ ।




















