ଓଡ଼ିଶା ଲିଡ୍ସ(ବ୍ରହ୍ମଗିରି): ରଜ ପର୍ବ ଅବସରରେ ବ୍ରହ୍ମଗିରିର ପ୍ରସିଦ୍ଧ ଶକ୍ତିପୀଠ ମା’ ବାଲିହରଚଣ୍ଡୀଙ୍କ ମନ୍ଦିରରେ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ରଜ ପର୍ବ ଯୋଗୁଁ ମା’ ବାଲିହରଚଣ୍ଡୀଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ଏହି ସମୟରେ ମନ୍ଦିର ପରିସରରେ ହଠାତ ଜଣେ ଭକ୍ତ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିଲେ । ଉପସ୍ଥିତ ଶ୍ରଦ୍ଧାଳୁ ଓ ସେବାୟତମାନେ ତୁରନ୍ତ ସରକାରୀ ଜରୁରୀକାଳୀନ ସେବା ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ମାତ୍ର ଦୀର୍ଘ ସମୟ ଅପେକ୍ଷା କରିବା ପରେ ମଧ୍ୟ କୌଣସି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ନଥିଲା । ଯାହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ଅସୁସ୍ଥ ଭକ୍ତଙ୍କ ଅବସ୍ଥା କ୍ରମଶଃ ଗୁରୁତର ହେଉଥିବା ଦେଖି ପୋଲିସ ଆମ୍ବୁଲାନ୍ସକୁ ଅପେକ୍ଷା ନକରି, ପୋଲିସ କର୍ମଚାରୀମାନେ ଗାଡ଼ିରେ ଅସୁସ୍ଥ ଭକ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । ପୋଲିସର ଏଭଳି ସମୟୋଚିତ ଏବଂ ମାନବିକ ପଦକ୍ଷେପ ଯୋଗୁଁ ଭକ୍ତଙ୍କ ଜୀବନ ରକ୍ଷା ହୋଇପାରିଥିଲା । ରଜ ଭଳି ଏକ ବଡ଼ ପର୍ବରେ ଯେଉଁଠି ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଛି, ସେଠାରେ ପ୍ରଶାସନ ପକ୍ଷରୁ କାହିଁକି ଆଗୁଆ ସ୍ୱାସ୍ଥ୍ୟ ଶିବିର କିମ୍ବା ଆମ୍ବୁଲାନ୍ସର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇ ନଥିଲା ବୋଲି ପ୍ରଶ୍ନ ଉଠିଛି । ଅପରପକ୍ଷେ ପୋଲିସର ଏଭଳି କାର୍ଯ୍ୟକୁ ପ୍ରଶଂସା କରାଯାଇଛି ।




















