ଓଡ଼ିଶା ଲିଡ୍ସ(ବ୍ୟୁରୋ):ଇଚ୍ଛାମୃତ୍ୟୁ ପାଇବାର ୧୩ ଦିନ ପରେ ଆଜି ଚିର ନିଦ୍ରାରେ ଶୋଇଛନ୍ତି ହରିଶ ରାଣା । ଚଳିତ ମାଡ଼ ୧୧ ତାରିଖରେ ପ୍ରଥମଥର ପାଇଁ ସୁପ୍ରିମକୋର୍ଟ ଦେଶରେ କୌଣସି ରୋଗୀଙ୍କ ପରିବାର ପକ୍ଷରୁ ଏପରି ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ଆବେଦନ ଉପରେ ମୋହର ମାରିଥିଲେ।
ଦୀର୍ଘ ୧୩ ବର୍ଷ ଧରି କୋମାରେ ରହିଥିବା ୩୨ ବର୍ଷୀୟ ହରିଶ ଦିଲ୍ଲୀର ଏମ୍ସରେ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।
ହରିଶ ରାଣା ମାମଲା ସଂପୂର୍ଣ୍ଣ ଭାବେ ବିରଳ ଥିଲା। ତାଙ୍କ ଜୀବନ ମେଡିକାଲ ଟ୍ୟୁବ୍ସ ଦ୍ୱାରା ଦିଆଯାଉଥିବା ଖାଦ୍ୟ ଉପରେ ନିର୍ଭରଶୀଳ ରହିଥିଲା। ସେ ଜୀବନ ରକ୍ଷାକାରୀ ମେସିନ ଯଥା ଭେଣ୍ଟିଲେଟର ଆଦିରେ ରହୁଥିଲେ। ୧୩ ବର୍ଷ ଧରି ପୁଅ ବେଡ଼ରେ ପଡ଼ି ରହିଥିବାରୁ ପରିବାର ଲୋକ କୋର୍ଟ ଯାଇଥିଲେ। ବାପା ମା’ଙ୍କ ଅସହାୟତାକୁ ଶୁଣିବା ପରେ ସୁପ୍ରିମକୋର୍ଟ ହରିଶ ରାଣାଙ୍କ ହସ୍ପିଟାଲରେ ଚିକିତ୍ସା ଉପଚାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଚିକିତ୍ସା ବନ୍ଦ ହେବା ପରେ ୩୨ ବର୍ଷୀୟ ହରିଶ ରାଣା ସମ୍ମାନଜନକ ମୃତ୍ୟୁ ପାଇଛନ୍ତି। ହରିଶ ହେଉଛନ୍ତି ଦିଲ୍ଲୀର ମହାବୀର ଏନକ୍ଲେଭର ବାସିନ୍ଦା। କିଶୋର ଅବସ୍ଥାରେ ସେ ଉଚ୍ଚ ଶିକ୍ଷା ପାଇଁ ଚଣ୍ଡିଗଡ଼ ଯାଇଥିଲେ। ହେଲେ ୨୦୧୩ ଅଗଷ୍ଟ ୨୦ ତାରିଖରେ ସେ ଭଡ଼ାରେ ରହୁଥିବା ବିଲଡିଂର ୪ର୍ଥ ମହଲାର ବାଲକୋନୀରୁ ସିଧା ତଳକୁ ଖସି ପଡ଼ିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲେ। ଏଥିଯୋଗୁ ଶହେ ପ୍ରତିଶତ ଅକ୍ଷମ ହୋଇ ଯାଇଥିଲେ ହରିଶ ।




















