ଓଡ଼ିଶା ଲିଡ୍ସ(ବ୍ୟୁରୋ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଆଜି ଓଡ଼ିଶାରେ ସର୍ବାଧିକ ବର୍ଷା ସମ୍ଭାବନା ଥିବା ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ କିଛି କିଛି ସ୍ଥାନରେ ୨୦ ସେମିରୁ ବି ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟା ଫଳରେ ଦକ୍ଷିଣ ଓଡ଼ିଶାରେ ସର୍ବାଧିକ ବର୍ଷା ଆକଳନ କରାଯାଇଛି । ବର୍ଷା ସହିତ ଦକ୍ଷିଣ ଓଡ଼ିଶାରେ ୮୦ରୁ ୯୦ କିମି ପର୍ଯ୍ୟନ୍ତ ପବନ ବହିବ ବୋଲି ମଧ୍ୟ ଡିଜି ସୂଚନା ଦେଇଛନ୍ତି । ଏହା ସହିତ ଛତିଶଗଡ଼କୁ ଲାଗିଥିବା ଜିଲ୍ଲାମାନଙ୍କରେ ୪୫ରୁ ୫୫ କିମି ପବନ ବହିବାର ମଧ୍ୟ ସମ୍ଭାବନା ଅଛି । ବର୍ଷା ଫଳରେ ନଦୀରେ ଜଳସ୍ତର ବଢ଼ିବା ସହିତ ସହର ମଧ୍ୟ ଜଳାର୍ଣ୍ଣବ ହେବାର ଆଶଙ୍କା ରହିଛି । ବାତ୍ୟା ଅର୍ଣ୍ଣବ ଉପକୂଳ ଅତିକ୍ରମ କରିଥିଲେ ବି ବେଶୀ ଦୂରକୁ ଯାଇନାହିଁ, ଲ୍ୟାଣ୍ଡଫଲ୍ ବେଳେ ଦିଗ ପରିବର୍ତ୍ତନ କରିବାରୁ ୬ ଘଣ୍ଟାର ଦୀର୍ଘ ସମୟ ଲାଗିଥିବା ସେ ସ୍ପଷ୍ଟ କରିଛନ୍ତି । ଏହା ସହିତ ଆଣ୍ଡାମାନ ସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ସାରିଛି ବୋଲି ସେ କହିଛନ୍ତି । ଆଗାମୀ ଦିନରେ ଏହା ଲଘୁଚାପର ରୂପ ନେବ ବୋଲି ସେ ଆଶଙ୍କା ପ୍ରକାଶ କରିବା ସହିତ ପରବର୍ତ୍ତୀ ସ୍ଥିତି ନେଇ ଆକଳନ ହୋଇନଥିବା ସ୍ପଷ୍ଟ କରିଛନ୍ତି ।



















