ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ-ଜଳ ସଂପଦ ବିଭାଗ
ଓଡ଼ିଶା ଲିଡ୍ସ(ଯାଜପୁର): ଆଜି ବ୍ରାହ୍ମଣୀ ଓ ତାର ଶାଖା ନଦୀ ଖରସ୍ରୋତାରେ ଆସିଥିବା ବନ୍ୟା ବିଭିନ୍ନ ଅଞ୍ଚଳର ଲୋକଙ୍କୁ ବେଶ ଆତଙ୍କିତ କରିଥିଲା । ବ୍ରାହ୍ମଣୀ ନଦୀର ବିଭିନ୍ନ ସ୍ଥାନରେ ୪ରୁ ଉର୍ଦ୍ଧ୍ଵ ଘାଇ ହୋଇ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି । କିଛି ସ୍ଥାନରେ ଘର ମଧ୍ୟକୁ ପାଣି ପଶିଛି । ଏହା ସହିତ ବରୀର ପ୍ରମୁଖ ରାସ୍ତାର ବିଭିନ୍ନ ସ୍ଥାନରେ ବନ୍ୟା ସ୍ରୋତ ମଧ୍ୟ ପଡିଛି । ଗତକାଲି ସନ୍ଧ୍ୟାରୁ ଏହି ଦୁଇ ନଦୀର ବନ୍ୟା ସ୍ତର ବ୍ୟାପକ ବୃଦ୍ଧି ହୋଇଥିଲା । ହେଲେ ଆଜି ଅପରାହ୍ନରେ ବନ୍ୟା ଜଳ କମିବା ଆରମ୍ଭ ହୋଇଛି । ରାତି ୯ଟା ସୁଦ୍ଧା ବନ୍ୟାଜଳ ସ୍ତର ପ୍ରାୟ ଦେଢ଼ ଫୁଟ କମିଥିବା ବେଳେ ଆସନ୍ତା କାଲି ମଧ୍ୟାହ୍ନ ସୁଦ୍ଧା ଏହା ପ୍ରାୟ ସାଢ଼େ ୪ଫୁଟ କମିବ ବୋଲି ବରୀ ଜଳ ସଂପଦ ବିଭାଗ ପକ୍ଷରୁ ସୂଚନା ମିଳିଛି । ହେଲେ ଆଜି ରେଙ୍ଗାଲି ଡ୍ୟାମର ଖୋଲା ଯାଇଥିବା ଗୋଟିଏ ଗେଟର ପାଣି ଆସନ୍ତା କାଲି ମଧ୍ୟାହ୍ନ ପ୍ରାୟ ୧ଟା ବେଳେ ଯାଜପୁର ଜିଲ୍ଲାରେ ପହଞ୍ଚିବା ନେଇ ଜଳ ସଂପଦ ଅଧିକାରୀ ସୂଚନା ଦେଇଛନ୍ତି । ନୂତନ ପାଣିର ଉଚ୍ଚତା ଦେଢ଼ ଫୁଟ ଉଚ୍ଚତାରେ ରହିବାର ଥିବାରୁ କେହି ଆତଙ୍କିତ ନହେବାକୁ ଜଳ ସଂପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅପରପକ୍ଷେ ବନ୍ୟା କମିଲେ ସୃଷ୍ଟି ହୋଇଥିବା ଘାଇ ତୁରନ୍ତ ମରାମତି କରାଯିବ ବୋଲି ମଧ୍ୟ ସୂଚନା ରହିଛି । ବିଭାଗୀୟ ଅଧିକାରୀ କହିଛନ୍ତି କେହି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ ।




















