ଓଡ଼ିଶା ଲିଡ୍ସ(ଦଶରଥପୁର): ବୈତରଣୀ ନଦୀର ଶାଖା କାଣୀ ନଦୀରେ ବାରମ୍ବାର ଘାଇ ସୃଷ୍ଟିହେଇ ଧନଜୀବନ ବିପନ୍ନ ହେବାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ମାମଲା ଏବେ ଥାନା ପର୍ଯ୍ୟନ୍ତ ଯାଇଛି ।ବିଭାଗୀୟ ଯନ୍ତ୍ରୀମାନଙ୍କ ନାଁରେ ଏତଲା ଦେଇଛନ୍ତି ସମାଜସେବୀ ସରୋଜ ବିଶ୍ୱାଳ। ଶ୍ରୀ ବିଶ୍ୱାଳ ଦଶରଥପୁର ଥାନାରେ ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ, ଅଧିକ୍ଷଣ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀଙ୍କ ସମେତ କନିଷ୍ଠଯନ୍ତ୍ରୀଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଚଳିତ ବର୍ଷ ଜୁଲାଇ ୨୮ତାରିଖରେ ବୈତରଣୀ ନଦୀରେ ବନ୍ୟା ଆସିବାରୁ ଶାଖା କାଣୀ ନଦୀ ଅବବାହିକା ତରପଦା ପଞ୍ଚାୟତ ଡୋବାବିଲ ପାଟଣାସାହି ନିକଟ ନଦୀ ବନ୍ଧରେ ୬୦ ମିଟରରୁ ଉର୍ଦ୍ଦ୍ଵ ଆକାରର ଘାଇ ସୃଷ୍ଟି ହୋଇ ଦଶରଥପୁର ବ୍ଲକର ଅର୍ଦ୍ଧାଧିକ ପଞ୍ଚାୟତକୁ ପ୍ରଭାବିତ କରିଥିଲା। ପ୍ରାୟ ୧ ହଜାର ପରିବାର ଜଳବନ୍ଦୀ ଜୀବନଯାପନ କରୁଥିବା ବେଳେ ଜଳସମ୍ପଦ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବିନିମୟରେ ଘାଇ ମରାମତି କରାଯାଇଥିଲା। ମାତ୍ର ନିମ୍ନମାନର ମରାମତି ଯୋଗୁ ୧୮ଦିନ ପୂର୍ବେ ମରାମତି ହୋଇଥିବା ଘାଇ କାଣୀ ନଦୀରେ ଆସିଥିବା ବନ୍ୟା ପ୍ରକୋପରେ ନଷ୍ଟ ହୋଇଯାଇଥିଲା। ଫଳରେ ପୁନର୍ବାର ବ୍ଲକର ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦିନର ପୁନରାବୃତ୍ତି ଘଟିଲା। ଶ୍ରୀ ବିଶ୍ୱାଳ ଘାଇ ମରାମତିରେ ବିଭାଗୀୟ ଯନ୍ତ୍ରୀମାନଙ୍କ ବେପରୁଆ କାର୍ଯ୍ୟଶୈଳୀ କାରଣରୁ ଘାଇ ମରାମତିରେ କେବଳ ଅର୍ଥ ଆତ୍ମସାତ କରାଯାଇଥିବା ବେଳେ ସହସ୍ରାଧିକ ଜନସାଧାରଣଙ୍କ ଧନଜୀବନ ବିପନ୍ନ ହୋଇଥିବା ଦର୍ଶାଇ ଏଥିରେ ସମ୍ପୃକ୍ତ ଜଳସମ୍ପଦ ବିଭାଗର ଯନ୍ତ୍ରୀମାନଙ୍କୁ ଗିରଫ କରିବା ସହ ବିହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।



















