ଓଡ଼ିଶା ଲିଡ୍ସ(ଦଶରଥପୁର): କାଣୀ ନଦୀ ବନ୍ୟା ସ୍ରୋତରୁ ଗାଈ ଉଦ୍ଧାର କରିବାକୁ ଯାଇ ନିଖୋଜ ହୋଇ ଯାଇଥିବା ମଙ୍ଗଳପୁର ଥାନା ମଲ୍ଲିକାପୁର ପଞ୍ଚାୟତ ପୁରୁଣାସାହି ଅଞ୍ଚଳର ଗୋବିନ୍ଦ ରାଉତଙ୍କୁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ । ଏବେ ଏହି ଘଟଣା ଭିନ୍ନ ମୋଡ଼ ନେଇଛି। ଗୋବିନ୍ଦଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ତାଙ୍କ ବଡ଼ ଭାଇ ରତ୍ନାକର ରାଉତ ଆଜି ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ନିଜ ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ ତାଙ୍କ ଭାଇକୁ ଦଶରଥପୁର ଥାନା ଅହିୟାସ ଅଞ୍ଚଳର ସେକ ଇଲୋ ଓ ସହଯୋଗୀ ମଙ୍ଗୁଳି ଶତପଥୀ ପୂର୍ବ ଯୋଜନା ମୁତାବକ ଭରା ନଦୀରୁ ଗାଈଗୋଠକୁ ଉଦ୍ଧାର କରିବାକୁ ନଦୀ ଭିତରକୁ ଯିବାକୁ ବାଧ୍ୟ କରିଥିଲେ। ଫଳରେ ନଦୀରେ ଭାସିଯାଇ ତାଙ୍କ ମୃତ୍ୟୁ ହୋଇଛି । ଅହିୟାସ ବଜାରରେ ଥିବା ସେକ ଇଲୋଙ୍କ ଚିକେନ ଦୋକାନରେ ଗୋବିନ୍ଦ କାମ କରିବା ସହିତ ପ୍ରତିଦିନ ସେକ ଇଲୋ ପାଳି ଥିବା ଗାଈମାନଙ୍କୁ ଘାସ ଚରାଇବାକୁ ନେଇଥାନ୍ତି। ଗତ ମଙ୍ଗଳବାର ଗୋବିନ୍ଦ ଗାଈମାନଙ୍କୁ ଘାସ ଚରାଇ ଘରକୁ ଫେରାଇ ଆଣୁଥିବା ବେଳେ ଗାଈ କାଣୀ ନଦୀ ଭିତରକୁ ଚାଲିଯାଇଥିଲେ। ଯାହାକୁ ଜାଣିବା ପରେ ସେକ ଇଲୋ ଓ ତାଙ୍କ ସହଯୋଗୀ ମଙ୍ଗୁଳି ଶତପଥୀ ଘଟଣା ସ୍ଥଳରେ ପହଞ୍ଚି ଗୋବିନ୍ଦଙ୍କୁ ନଦୀ ଭିତରୁ ଗାଈଗୋଠକୁ ଆଣିବାକୁ ବାଧ୍ୟ କରିଥିଲେ। ଅନିଚ୍ଛା ସତ୍ତ୍ୱେ ଗୋବିନ୍ଦ ନଦୀ ଭିତରକୁ ଯାଇ ପାଣିରେ ଭାସି ଯାଉଥିବା ବେଳେ ନିଜକୁ ଉଦ୍ଧାର କରିବାକୁ ଚିତ୍କାର କରିଥିଲେ ମଧ୍ୟ ଉପସ୍ଥିତ ଥିବା ସେକ ଇଲୋ ଏବଂ ସହଯୋଗୀ ମଙ୍ଗୁଳି ସେଠାରୁ ଫେରାର ହୋଇଯାଇଥିଲେ। ଫଳରେ ନଦୀ ପାଣିରେ ଭାସି ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ବଡ଼ ଭାଇ ରତ୍ନାକର ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିବା ସହିତ ଘଟଣାର ବିହିତ ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।



















