ଓଡ଼ିଶା ଲିଡ୍ସ(ଯାଜପୁର): ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ସରକାର କେଜି ଠାରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ବ୍ୟବସ୍ଥା କରିଛନ୍ତି । ହେଲେ ବିଦ୍ୟାଳୟ ଗୁଡିକରେ ପାଠ ପଢ଼ାଉଥିବା ସରକାରୀ ଶିକ୍ଷକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ କିଭଳି ଭଲ ପାଠ ପଢ଼ାଯିବ ସେଥିପ୍ରତି ଗୁରୁତ୍ୱ ନ ଦେଇ ଘରୋଇ କୋଚିଂ ସେଣ୍ଟର ଗୁଡିକ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଛତୁ ଫୁଟିଲା ପରି କୋଚିଂ ସେଣ୍ଟର ମାନ ସ୍ଥାପନ ହୋଇଛି । ବିଦ୍ୟାଳୟ ମାନଙ୍କରେ ପାଠ ପଢା ଠିକ ହେଉ ନଥିବାରୁ ଅବିଭାବକ ମାନେ କୋଚିଂ ସେଣ୍ଟର ଉପରେ ନିର୍ଭର କରୁଛନ୍ତି । ବିଭିନ୍ନ ବିଦ୍ୟାଳୟ ଗୁଡିକରେ ଚାକିରୀ କରୁଥିବା ଶିକ୍ଷକ ମାନେ ବିଭିନ୍ନ କୋଚିଂ ସେଣ୍ଟର ଗୁଡିକରେ ଶିକ୍ଷକତା କରୁଛନ୍ତି । ବିଶେଷ କରି ବିଜ୍ଞାନ, ଇଂରାଜୀ ଓ ଗଣିତ ପଢ଼ାଉଥିବା ଶିକ୍ଷକ ମାନେ ବିଭିନ୍ନ କୋଚିଂ ସେଣ୍ଟର ଗୁଡିକରେ ପାଠ ପଢ଼ାଉଛନ୍ତି । ଗ୍ରାମାଞ୍ଚଳ ଠାରୁ ନେଇ ସହରାଞ୍ଚଳ ପର୍ଯ୍ୟନ୍ତ କୋଚିଂ ସେଣ୍ଟର ମାନ ଚାଲିଥିଲା ବେଳେ ଜିଲ୍ଲା ସଦର ମହକୁମା ଯାଜପୁର ଟାଉନରେ ମଧ୍ୟ ବିଭିନ୍ନ କୋଚିଂ ସେଣ୍ଟର ଖୋଲି ଥିଲା ବେଳେ ସରକାରୀ ବିଦ୍ୟାଳୟରେ ଚାକିରୀ କରିଥିବା ଶିକ୍ଷକ ମାନେ ସେଠାରେ ପାଠ ପଢ଼ାଉଛନ୍ତି । ଦୀର୍ଘ ଦିନ ହେଲା ଏହି କୋଚିଂ ସେଣ୍ଟର ଗୁଡିକ ଚାଲିଥିଲା ବେଳେ ଜିଲ୍ଲା ଶିକ୍ଷାଧିକାରୀ ଏହାକୁ ନେଇ ଆଖି ବୁଜି ଦେଇଥିବା ଅଭିଯୋଗ ହେଉଛି । ସରକାରୀ ଶିକ୍ଷକ ମାନେ ସରକାରୀ ବାରଣ ପରେ ମଧ୍ୟ କିଭଳି କୋଚିଂ ସେଣ୍ଟର ଗୁଡିକରେ ପାଠ ପଢ଼ାଉଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜିଲ୍ଲା ଶିକ୍ଷାଧିକାରୀ ଏ ନେଇ ତଦନ୍ତ କରିବା ସହିତ ଏହି ଶିକ୍ଷକ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।




















