ଓଡ଼ିଶା ଲିଡ୍ସ(କୃଷ୍ଣପ୍ରସାଦ): ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ରାମଲଙ୍କା ଗ୍ରାମ ପଞ୍ଚାୟତ କୁମାରପୁର ଚିଲିକାରେ ମାଛ ଧରିବା ବେଳେ ଅଘଟଣ ଘଟିଛି । କୁମାରପୂର ଗ୍ରାମର ଚିନ୍ମୟ ବେହେରା, ଅମର ବେହେରା ଏବଂ ଓମ ଶିକାର କୁମାରପୂର ଗ୍ରାମ ନିକଟ ଶ୍ୟାମାକାଳୀ ବାହାର ଚିଲିକାରୁ ମାଛ ଧରୁଥିଲେ। ସୋମବାର ସଂଧ୍ୟା ୭ ଟା ସମୟରେ ହଠାତ ୨ଟି ଡଙ୍ଗାରେ ୨୦ରୁ ଉର୍ଦ୍ଧ ଲୋକ ମାରଣାସ୍ତ୍ର ସହ ଆସି ସେମାନଙ୍କୁ ଧମକାଇ ଥିଲେ। ସେମାନଙ୍କ ମାଛ ନେଇଯିବା ସହ ଆକ୍ରମଣ ମଧ୍ୟ କରିଥିଲେ। ଏହି ସମୟରେ ଏକ ଭୁଜାଲିରେ ଅମର ବେହେରାଙ୍କ ମୁଣ୍ଡକୁ ହାଣି ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ଚିନ୍ମୟ ବେହେରା କୌଶଳ କ୍ରମେ ଖସି ଆସିଥିବା ବେଳେ ଓମ ନାମକ ଜଣେ ନା ବାଳକ ଚିଲିକାରେ ନିଖୋଜ ଥିଲେ। ୧୫ଘଣ୍ଟା ପରେ ନିଖୋଜ ଓମର ଶବ ଚିଲିକାରେ ଭାସୁଥିବା ଜଣାପଡ଼ିଛି। ଏନେଇ କୃଷ୍ଣପ୍ରସାଦ ଥାନାରେ ଏତଲା ଦିଆଯିବା ପରେ ପୋଲିସର ତନାଘନା ଆରମ୍ଭ ହୋଇଛି। ପୁରୀ ସଦର ଏସ ଡି ପି ଓ ମାନସ ଚନ୍ଦ୍ର ବାରିକି, କୃଷ୍ଣପ୍ରସାଦ ଥାନା ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନ ସଦଳବଳେ ଆସି ମାଲୁଦ ଅଗ୍ନିଶମ ବାହିନୀ ସହାୟତାରେ ଚିଲିକାରୁ ଭାସୁଥିବା ଶବକୁ ଉଦ୍ଧାର କରିଥିଲେ। ଉକ୍ତ କାର୍ଯ୍ୟ ଖୋର୍ଦ୍ଧା ଜିଲ୍ଲା ଚନ୍ଦ୍ରାପୁଟ ଗ୍ରାମର ମତ୍ସ୍ୟଜୀବୀ ଘଟାଇଥିବା ପ୍ରକାଶ କରିଛନ୍ତି। ଏହିଭଳି ଘଟଣା ପ୍ରତିବର୍ଷ ଚିଲିକାରେ ସେମାନେ ଘଟାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।




















