ଓଡ଼ିଶା ଲିଡ୍ସ(ବ୍ୟୁରୋ): ବିଶ୍ୱର ଅନ୍ୟତମ ଚର୍ଚ୍ଚିତ କ୍ରିକେଟର ମହେନ୍ଦ୍ର ସିଂ ଧୋନି। ଦୀର୍ଘ ବର୍ଷ ହେଲା ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ଆଇପିଏଲରେ ଖେଳ ଜାରି ରଖିଛନ୍ତି । ଏବେବି ତାଙ୍କୁ ନେଇ ଚର୍ଚ୍ଚା ଥମୁନାହିଁ । ଚେନ୍ନାଇ ସୁପର କିଙ୍ଗସର ସେ ଅବିଛେଦ୍ୟ ଅଙ୍ଗ ହୋଇ ରହିଛନ୍ତି । ପଡିଆରେ ତାଙ୍କର ଟିକିଏ ଝଲକ ପାଇବାକୁ ସମସ୍ତେ ବ୍ୟଗ୍ର । ହେଲେ ଚଳିତ ଆଇପିଏଲ୍ ଋତୁରେ ଅଧାରୁ ଅଧିକ ସମୟ ଅତିକ୍ରାନ୍ତ ହୋଇସାରିଥିଲେ ମଧ୍ୟ ପଡ଼ିଆକୁ ଓହ୍ଲାଇ ନାହାନ୍ତି ଧୋନି । ତାଙ୍କୁ ନେଇ କେବଳ ସିଏସ୍କେ ପ୍ରଶଂସକଙ୍କ ଉତ୍କଣ୍ଠା ନୁହେଁ ସମଗ୍ର କ୍ରିକେଟ ପ୍ରଶଂଶକଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଛି । ଚଳିତ ଋତୁରେ ସେ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ଖେଳିନାହାନ୍ତି। ଗୋଡ଼ ମାଂସପେଶୀ ସମସ୍ୟା ଯୋଗୁଁ ସେ ଆଇପିଏଲ୍ର ପ୍ରଥମ ଦୁଇ ସପ୍ତାହ ଖେଳିବେ ନାହିଁ ବୋଲି କୁହାଯାଇଥିଲା, ହେଲେ ଏହି ସମୟ ପରେ ମଧ୍ୟ ସେ ପଡ଼ିଆକୁ ଓହ୍ଲାଇ ନାହାନ୍ତି ।
ମଙ୍ଗଳବାର ଖେଳାଯିବାକୁ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ ଧୋନି ଖେଳିବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲେ ବି ସୂଚନା ଅନୁସାରେ ଧୋନି ସିଏସ୍କେ ଦଳ ସହ ଦିଲ୍ଲୀ ଅଭିମୁଖେ ଯାତ୍ରା କରିନାହାନ୍ତି। ଏଣୁ ଏହି ମ୍ୟାଚ୍ରେ ବି ସେ ଖେଳିବା ଆଶା ନାହିଁ । ସେ ଚେନ୍ନାଇରେ ରହି ଆରୋଗ୍ୟ ହାସଲ କରୁଛନ୍ତି। ତେବେ ଧୋନିଙ୍କ ପ୍ରତ୍ୟାବର୍ତ୍ତନ ନେଇ ସିଏସ୍କେ ଏବେ ବି ଆଶାବାଦୀ ଅଛି। ଚଳିତ ଋତୁରେ ସିଏସ୍କେର ଆହୁରି ପାଞ୍ଚଟି ମ୍ୟାଚ୍ ବାକିଥିବାବେଳେ ଦଳର ଜଣେ ଅଧିକାରୀ କହିଛନ୍ତି ଯେ ଆଇପିଏଲ୍ର ଯେକୌଣସି ପର୍ଯ୍ୟାୟରେ ଧୋନି ପଡ଼ିଆକୁ ଫେରିପାରନ୍ତି। ତେବେ ସେ ଯାହା ବି ହେଉ ହଳଦିଆ ଜର୍ସିରେ ପଡ଼ିଆରେ ଧୋନିଙ୍କୁ ଦେଖିବାକୁ ପ୍ରଶଂଶକ ଚାତକ ପରି ଅନାଇ ରହିଛନ୍ତି ।




















